ତାସ୍ ଘର ପରି ଭାଙ୍ଗୁଛି ସୁକିନ୍ଦା ବିଜେଡି: ସମବାୟ ମନ୍ତ୍ରୀ
ଟମକା : ସୁକିନ୍ଦା ବିଜେଡି ତାସ୍ ଘର ପରି ଭାଙ୍ଗି ଭାଙ୍ଗି ଯାଉଛି । ଏକଥା ବୁଧବାର ଏକ ମିଶ୍ରଣ ପର୍ବରେ ମତପୋଷଣ କରିଛନ୍ତି ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳ ସମାନ୍ତ । ଜିଲ୍ଲା ବିଜେପି ଉପ ସଭାପତି ପ୍ରତାପ ଚନ୍ଦ୍ର ଧୀରଙ୍କ ସଭାପତିତ୍ୱରେ ଟମକା ଡାକ ବଙ୍ଗଳାଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ବଳସମାନ୍ତ ଅତିଥି ଭାବେ ଯୋଗଦାନ କରି ବିଜେପିରେ ସାମିଲ ଅନ୍ୟଦଳର କର୍ମୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଦଳୀୟ ଟୋପି ଦେଇ ସ୍ୱାଗତ କରିଥିଲେ । ଦେଉଳକଣ ପଞ୍ଚାୟତ ୧୨ନମ୍ବର ୱାର୍ଡ ସଭ୍ୟ ଶାନ୍ତି ନାଏକ, ୧୧ନମ୍ବର ୱାର୍ଡ ସଭ୍ୟଅଜୟ କୁମାର ଦେହୁରୀ, ୪ନମ୍ବର ୱାର୍ଡ ସଭ୍ୟଙ୍କ ସ୍ୱାମୀ ଦିଲୀପ ପାତ୍ରଙ୍କ ସମତେ ଦେଉଳକଣ ଓ କିଆଝର ପଞ୍ଚାୟତର ମୋଟ୍ ୧୭୭ଜଣ ବିଜେଡି ଦଳର କର୍ମୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଥିଲେ । ମିଶ୍ରଣପର୍ବରେ ଅନ୍ୟମାନଙ୍କ ଭିତରେ ବିଜେପି ନେତା ପ୍ରଶାନ୍ତ କୁମାର ରାୟ, ସୁଧାଂଶୁ ଭଂଜ, ପବିତ୍ର କୁମାର ମହାପାତ୍ର, ଅଜିତ୍ ଦାସ, ଚନ୍ଦନ ରାଉତ, ଆଦିବାସୀ ନେତା ରଜେନ୍ଦ୍ର କାଲୁଣ୍ଡିଆ, ଶ୍ରମିକ ନେତା ଅମଳେନ୍ଦୁ ବେହୁରା, ଗୋବର୍ଦ୍ଧନପୁର ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହି, ପଂଚାୟତ ବିଜେପି ସଭାପତି ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ ଶ୍ରୀ ବଳ ସାମନ୍ତ ଦେଉଳକଣ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ପଞ୍ଚାୟତ ଭବନକୁ ଲୋକାର୍ପଣ କରିଥିଲେ ।