ଦଲାଲ କିଣୁଛନ୍ତି ପିଡିଏସ୍ ଚାଉଳ
ମାଲକାନଗିରି: ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ, ଗରିବ ଓ ଅସହାୟ ଲୋକେ ଦଲାଲଙ୍କ କବଜାରେ ପଡି ମାସକ ପାଇଁ ମିଳୁଥିବା ଏହି ଚାଉଳ ବିକ୍ରି କରୁଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ଏଭଳି ଘଟଣା ଆଜି କାଲିମେଳା ବ୍ଲକ ମାଲାଭରମ ପଞ୍ଚାୟତ ସଦର ମହକୁମାରେ ହେଉଥିବା ନେଇ ଅଭିଯୋଗ ପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆମେ ଘଟଣା ସ୍ଥଳକୁ ଯାଇଥିଲୁ । ପଞ୍ଚାୟତ ସମ୍ମୁଖରେ ଦାଲାଲ ମାନେ ଖୋଲାଖୋଲି ଭାବେ ଏହି ପିଡିଏସ୍ ଚାଉଳ ଖରିଦ କରାଯାଉଥିବା ବେଳେ ବିଭାଗ ପକ୍ଷରୁ କୌଣଷି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ନେଇ ସ୍ଥାନୀୟ ଲୋକେ ନିଜର ନାମ ଗୋପନ ରଖି ଅଭିଯୋଗ କରିଥିଲେ । ସୂଚନା ମୁତାବକ ମାଲାଭରମ ପଞ୍ଚାୟତର ତିନିଜଣ ବ୍ୟକ୍ତି ଗତ ଦୁଇଦିନ ଧରି ଏହି ପଞ୍ଚାୟତ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ପ୍ରବର୍ତ୍ତାଇବା ସହ ଅର୍ଥ ଲାଳସା ଦେଇ ପ୍ରାୟ ୫୦ କ୍ୱଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ଖରିଦ କରିଥିଲେ । ଏହି ଚାଉଳକୁ ସେମାନେ ପଞ୍ଚାୟତ ପାଖରେ ଥିବା ଏକ ପୁରୁଣା ସରକାରୀ କୋଠାରେ ଗଚ୍ଛିତ କରିଥିଲେ । ପ୍ରତିଥର ଚାଉଳ ଦେବା ସମୟରେ ଉକ୍ତ ବ୍ୟକ୍ତି ମାନେ ଲୋକଙ୍କ ଠାରୁ ୧୮ରୁ ୨୦ ଟଙ୍କା ଦରରେ ଲୋକଙ୍କ ଠାରୁ ଚାଉଳ ଖରିଦ କରି ବଡ଼ ବ୍ୟବସାୟୀଙ୍କୁ ୨୭ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ଜଣାପଡ଼ିଛି । ତେବେ ଏହି ଚାଉଳ ଏମପିଭି ୮୧ଗ୍ରାମର ଜଣେ ଜୈନକ ବ୍ୟବସାୟୀଙ୍କୁ ବିକା ଯାଉଥିବା ବେଳେ ସେ ଏହାକୁ ପୁଣି ମିଲ ମାଲିକଙ୍କୁ ବେଆଇନ ଭାବେ ବିକ୍ରୟ କରୁଥିବା ସୂଚନା ମିଳିଛି । ଗରିବଙ୍କ ପାଇଁ ଆସୁଥିବ ଚାଉଳକୁ କ୍ରୟ କରି ଦଲାଲ୍ ମାନେ ବ୍ୟବସାୟ ଭଳି ଏହାକୁ ବିକ୍ରି କରୁଥିବା ବେଳେ ପ୍ରସାଶନ ପକ୍ଷରୁ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକେ ମାଲାଭରମ ପଞ୍ଚାୟତ ସମ୍ମୁଖରେ ଏଭଳି ଚାଉଳ କ୍ରୟ ଓ ଗଚ୍ଛିତ ରଖିବାକୁ ବିରୋଧ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ, ତେବେ ଏହା ଦେଖି ବେଆଇନ ଭାବେ ଚାଉଳ କିଣୁଥିବା ବ୍ୟକ୍ତିମାନେ ନାଲିଆଖି ଦେଖାଇବାକୁ ମଧ୍ୟ ପଛେଇ ନଥିଲେ । ଅନ୍ୟପଟେ ଉକ୍ତ ବ୍ୟବସାୟୀ ମାନେ ବର୍ତ୍ତମାନ କିଣୁଥିବା ଚାଉଳକୁ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ରାମବାସୀଙ୍କ ଘରେ ରଖିଥିବା ଦେଖିବାକୁ ମିଳିଛି । ସେହି ଘରର ଜଣେ ଯୁବକକୁ ପଚାରିବାରୁ ସେ ଏହି ଚାଉଳ ପାଖ ଗ୍ରାମର ପଙ୍କଜ, ସମୀର ଓ ଉଜ୍ଜଲ ବୋଲି ସ୍ଥାନୀୟ ଲୋକେ କିଣି ଆଣି ରଖିଥିବା କହିଛନ୍ତି । ଏପରି ସ୍ଥିତିରେ ଗରିବ ଓ ଅସହାୟଙ୍କ ପାଇଁ ଆସୁଥିବ ପିଡିଏସ୍ ଚାଉଳ ବଣ୍ଟନ ସମୟରେ ବ୍ୟବସାୟ କରୁଥିବା ଦଲାଲ୍ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଲୋକଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକଙ୍କ ପାଇଁ ଆସୁଥିବା ଏହି ଚାଉଳ କଳା ବଜାରୀ ହୋଇ ପୁଣି ମିଲ ମାଲିକଙ୍କ ନିକଟକୁ ଯାଉଥିବା ଖବର ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏହା କେତେଦୂର ସତ ସେନେଇ ଏକ ବଡ ଧରଣର ତଦନ୍ତ କରିବାର ଆବଶ୍ୟକତା ରହିଥିବା ସାଧାରଣରେ ଦାବି ହୋଇଛି । ତେବେ ଏନେଇ କାଲିମେଳା ବ୍ଲକ ଯୋଗାଣ ନୀରିକ୍ଷକଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଥିଲେ ଯେ, ଏନେଇ ସେ ଘଟଣାର ତଦନ୍ତ କରିବେ ଓ ଉଚିତ ପଦକ୍ଷେପ ନେବେ । ତେବେ ଜିଲ୍ଲା ପ୍ରଶାସନ କେବେ ଏଦିଗରେ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ।