ଦୁବାଇରେ ନୂଆଁଖାଇ ଭେଟ୍ଘାଟ
ବରଗଡ : ମାଟି, ଧାନ ଓ ପରମ୍ପରାର ପର୍ବ ‘ନୂଆଁଖାଇ’ ଏବେ ବିଦେଶୀ ଭୂମିରେ ମଧ୍ୟ ନୂତନ ଉଜ୍ଜ୍ୱଳତାରେ ପ୍ରକାଶିତ ହେଲା । ନୂଆଁଖାଇ ପରିବାର ଦୁବାଇ ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟ୍ଘାଟ ବିଶେଷ ଆଡମ୍ବର ଓ ସାମ୍ପ୍ରଦାୟିକ ଉତ୍ସାହ ସହିତ ଉଦ୍ୟାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇ ପଶ୍ଚିମ ଓଡିଶାର ଆତ୍ମା, ସାମ୍ପ୍ରଦାୟିକତା ଓ ସାମୂହିକ ସମ୍ପ୍ରତିର ମହତ୍ତ୍ୱ ଉପରେ ଅଲୋକପାତ କରିଥିଲେ । ମଞ୍ଚରେ ହାସ୍ୟକଳାକାର ଯୋଗେଶ ଯୋଯୋଙ୍କର ହାସ୍ୟରସ ଦର୍ଶକଙ୍କୁ ହସିହସି ଲୋଟପାଟ କରିଥିଲା । ଯେଉଁଥିରେ କଣ୍ଠଶିଳ୍ପୀ ଚୁମକି ପାଢ଼ୀଙ୍କର ସୁରିଳା ସ୍ୱର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଦୁବାଇରେ ବସବାସ କରୁଥିବା ପଶ୍ଚିମ ଓଡିଶାବାସୀଙ୍କୁ ଏକତ୍ର କରିବା, ପରମ୍ପରାର ଗର୍ବକୁ ସୁରକ୍ଷିତ କରିବା ଓ ପରବର ଆନନ୍ଦକୁ ବିଦେଶୀ ମାଟିରେ ପ୍ରକାଶିତ କରିବାରେ ନୂଆଁଖାଇ ପରିବାର ଦୁବାଇର ପଦକ୍ଷେପ ସମସ୍ତେ ପ୍ରଂଶସିତ କରିଥିଲେ ।