କୋକସରାକୁ ଏନ୍ଏସି ମାନ୍ୟତା ପାଇଁ ଦାବିପତ୍ର

 କୋକସରା :  ନିକଟରେ କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣାକୁ ଏନ୍ଏସିର ମାନ୍ୟତା ମିଳି ସାରିଛି । ତେବେ ଜିଲ୍ଲାର ଏକ ସର୍ବ ପୁରାତନ କୋକସରା ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ବିଗତ ଡିଲେମିଟେସନ ପ୍ରକ୍ରିୟା ପୂର୍ବରୁ ଏକ ନିର୍ବାଚନ ମଣ୍ଡଳୀ ରହିଥିବା କୋକସରା ବ୍ଲକ ସଦର ମହକୁମା କୋକସରାକୁ ମଧ୍ୟ ଏନ୍ଏସି ଘୋଷଣା କରିବାକୁ ଦାବି ଉଠିଛି । ଏ ନେଇ ସୋମବାର କୋକସରା ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, କୋକସରା ଗ୍ରାମ ଏନ୍ଏସି ନିମନ୍ତେ ସବୁ ପ୍ରକାର ଭିତ୍ତିଭୂମି ରହିଥିବାବେଳେ ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଓ ବ୍ୟାବସାୟିକ କ୍ଷେତ୍ରରେ ବେଶ୍ ପରିଚିତ । କୋକସରା ଠାରେ ପୁଲିସ ଥାନା ଠାରୁ ଆରମ୍ଭ କରି ଅନେକ ପ୍ରାଥମିକ ବିଦ୍ୟାଳୟ, ଯୁକ୍ତ ଦୁଇ ଓ ତିନି ଆର୍ଟ କଲେଜ, ବିଜ୍ଞାନ କଲେଜ, ସରକାରୀ ଡାକ୍ତରଖାନା, କୋର୍ଟ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ପ୍ରଣୀଚିକିସôା କେନ୍ଦ୍ର, ଟେଲିଫୋନ ଏକ୍ସଚେଞ୍ଜ, ଉପ ଡାକଘର, ସମବାୟ ବ୍ୟାଙ୍କ୍, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ଏସବିଆଇ ବ୍ୟାଙ୍କ, ଅଗ୍ନିଶମ କାର୍ଯ୍ୟାଳୟ ଓ ଅନେକ ସରକାରୀ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ରହିଛି । ଏହା ବ୍ୟତୀତ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଗମନାଗମନର ସୁବିଧା ରହିଛି । କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା କୋକସରା ଅଞ୍ଚଳରେ ସର୍ବନିମ୍ନ ଉନ୍ନତି ପାଇଁ କୋକସରା ସମେତ ଆଖପାଖ ଗାଁକୁ ନେଇ ନୂତନ ଏନ୍ଏସି କରାଗଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଦାବି ଉଠିଛି । ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ଏନ୍ଏସି ଘୋଷଣା କରିବା ପାଇଁ  ଦାବି ହୋଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ମୀନକେତନ ପ୍ରଧାନୀ, ତ୍ରିଭୁବନ ନାଏକ, ଶ୍ରୀନିବାସ ପ୍ରଧାନୀ, ନିରଞ୍ଜନ ନାଏକ, କ୍ଷୀରସିନ୍ଧୁ ନେଗୀ, ମହେଶ ଗୁପ୍ତା, ଗୁଣନିଧି ବାଗ, କିଶନ କୁମାର ପଟ୍ଟନାୟକ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।