ଦୁର୍ଘଟଣା କରି ପଳାଇ ଯାଇଥିବା ବସକୁ ଅଟକାଇଲେ ଗ୍ରାମବାସୀ 

 ରାଜନଗର:  ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ବଡକୋଲ୍ଲା (ଚଡ଼ଦିଆ)ଗ୍ରାମର ଲୋକମାନେ ମଙ୍ଗଳବାର ଦିନ ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗ ରାସ୍ତାର ଚକ୍ରବର୍ତ୍ତୀ ଗାଁ ନିକଟରେ ଏକ ଘରୋଇ ବସକୁ ଅଟକାଇଥିଲେ । ଖବର ପାଇ ରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ବସକୁ ଛାଡିଥିଲେ । ସୂଚନା ଥାଉକି ଗତକାଲି ଅର୍ଥାତ ସୋମବାର ଦିନ ବଡ଼କୋଲ୍ଲା ଗ୍ରାମର ୨ ଜଣ ଅଙ୍ଗନବାଡି କର୍ମୀ ଟ୍ରେନିଂ ନେଇ ଘରକୁ ଫେରୁଥିବା ବେଳେ ମଲିଆବୁଦା ଗାଁ ନିକଟରେ ଏକ ଅଟୋ କୁ ଓଭରଟେକ କରି ଦ୍ରୁତଗତିରେ ଯାଉଥିବା (ନାୟକ) ବସଟି ସ୍କୁଟିକୁ ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ଅଙ୍ଗନବାଡି କର୍ମୀ ଗୁରୁତର ଆହତ ହୋଇ ତାଙ୍କର ହାତ ଭାଙ୍ଗିଯିବା ସହ କ୍ଷତାକ୍ତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଜଣେ କେନ୍ଦ୍ରାପଡ଼ାରେ ଚିକିଶ୍ଚିତ ହେଉ ଥିବାବେଳେ ଆଉ ଜଣେ ଅଙ୍ଗନବାଡି କର୍ମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ବସଟି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ଚାଲିଯାଇଥିଲା ପ୍ରତିବାଦରେ ମଙ୍ଗଳବାର ଅର୍ଥାତ ଆଜି ଗାଁ ଲୋକମାନେ ବସ କୁ ଅଟକାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ମାଲିକ ସହିତ କଥା ହୋଇ ବସଟିକୁ ଛାଡିଥିଲେ । ଲୋକେମାନେ ଦାବି କରିଛନ୍ତି ଏହି ଘଟଣାର ବସ ମାଲିକ ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରାଯାଇ ବସ ଚଳାଚଳ ବନ୍ଦ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।