ନାବାଳିକାଙ୍କୁ ବାଙ୍ଗାଲୋରରୁ ଉଦ୍ଧାର କଲା ପୁଲିସ 

  ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ରାଳବ ଗ୍ରାମର ଜଣେ ଯୁବତୀ ଓ ହିଞ୍ଜିଳି ଥାନା ଅଞ୍ଚଳରୁ ଜଣେ ନାବାଳିକା ଗତ ନଭେମ୍ବରରୁ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ୨ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନିଦେ୍ର୍ଦଶରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ଖୋଳତାଡ ଆରମ୍ଭ କରିଥିଲା । ପରିଶେଷରେ ଫେରାର ଯୁବତୀ ବର୍ଷା ମୁନି(୨୧)ଙ୍କୁ ହିରାଖୁଦ ଥାନା ଓ ନାବାଳିକାଙ୍କୁ ବାଙ୍ଗଲୋରରୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ପ୍ରକାଶ ଯେ, ଗତ ୨୭ ତାରିଖରେ ହିଞ୍ଜିଳି ଥାନା ରାଳବ ଗ୍ରାମର ଯୁବତୀ ବର୍ଷା ଆଇ ଘର ଗ୍ରାମ ନିମିଗାଁରୁ ପରିବାର ବର୍ଗଙ୍କୁ ନଜଣାଇ ଘରୁ କେଉଁଆଡେ ଫେରାର ହୋଇଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା  । ଘଟଣା ନେଇ ଯୁବତୀଙ୍କ ମା' ରୁନା ମୁନି ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅନୁରୂପ ଭାବେ ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ନାବାଳିକା ଗତି ନଭେମ୍ବର ୧୩ ତାରିଖରେ ଘରୁ କେଉଁଆଡେ ଚାଲି ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ନାବାଳିକା ଜଣଙ୍କ ଘରକୁ ନଫେରିବାରୁ ନାବାଳିକାଙ୍କ ବାପା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୯୪୪/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଚଢ଼ାଉରେ ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ବୈକୁଣ୍ଠନାଥ ଜେନା, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ଓ ମହିଳା କନେଷ୍ଟବଳ ମିନତି ମହାଙ୍କୁଡ ଅଂଶ ଗ୍ରହଣ କରିଥିଲେ । ହିଞ୍ଜିଳି ପୁଲିସର ଏଭଳି କାର୍ଯ୍ୟକୁ ଉଭୟ ପରିବାର ସାଧୁବାଦ ଜଣାଇଛନ୍ତି ।