ନିଖୋଜ ନାବାଳିକା ଉଦ୍ଧାର
ଧାମନଗର: ଧାମନଗର ଥାନା ଭଗବାନପୁର ପଞ୍ଚାୟତ ର ଗୁଆପୋଖରି ଗ୍ରାମର ଜୈନିକ ନାବାଳିକା ଛାତ୍ରୀ ଦୀର୍ଘ ଏକ ମାସ ହେଲା ନିଖୋଜ ଅପହୃତା ନାବାଳିକାକୁ ଧାମନଗର ପୁଲିସ ଧରିବାରେ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ରବିବାର ଧାମନଗର ପୁଲିସ ପକ୍ଷରୁ ଚଡ଼ାଉ କରାଯାଇ ଅଭିଯୁକ୍ତ ଯୁବକ ସହ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଧାମନଗର ଥାନାକୁ ଆଣାଯାଇଛି । ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଗତ ଅଗଷ୍ଟ ୧୩ ତାରିଖ ଦିନ ବାରିକପୁର ନୟନମଣି କଲେଜ ଯାଇ ଆଉ ଘରକୁ ଫେରି ନଥିବା ଅଭିଯୋଗ ହୋଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ଥିବା ଧାମନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ସିଥିଳତା ନେଇ ପରିବାର ପକ୍ଷରୁ ଭଦ୍ରକ ଏସ.ପି ମନୋଜ କୁମାର ରାଉତଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସ.ପି ଶ୍ରୀ ରାଉତ ଖୁବଶିଘ୍ର ନାବାଳିକାକୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଧାମନଗର ପୁଲିସକୁ ଅଭିଯୁକ୍ତ ଧରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଅଭିଯୁକ୍ତ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ରତଳା ଗ୍ରାମର ବିଶ୍ୱଜିତ ଦାସ ବୋଲି ଜଣାପଡ଼ିଛି । ଉଭୟଙ୍କର ରଙ୍ଗ ନମ୍ୱର୍ରୁ ପ୍ରେମ ହୋଇଥିଲା ପରେ ଉଭୟ ଫେରାର ହୋଇ ଯାଇଥିଲେ । ତେବେ ନାବାଳିକା ଛାତ୍ରୀ ଫେରାର ସମୟରେ ସିନ୍ଦୁର ଓ ଶଙ୍ଖା ପିନ୍ଧି ଥିବାର ଦେଖିବାକୁ ମିଳିଥିଲା । ତେବେ ଉଭୟକୁ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରି ରଞ୍ଜନ ସେଠୀ କହିଛନ୍ତି ।