ନିଖୋଜ ଯୁବକ ପାଇଁ ରାସ୍ତା ଅବରୋଧ; ଜଣେ ଅଟକ

 କୁଆଖିଆ : ଜଣେ ଯୁବକଙ୍କ ନିଖୋଜ ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ସୂଚନା ଅନୁଯାୟୀ କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ବାଲାଙ୍ଗି ଗ୍ରାମର ଧନେଶ୍ୱର ସାମଲଙ୍କ ପୁଅ ପପୁନି (୨୩) ଗତ୨୬ତାରିଖସକାଳେ ନିଜ ସ୍ତ୍ରୀକୁ ସାବିତ୍ରୀ ବ୍ରତ ପାଇଁ ଭୋଗ ସରଞ୍ଜାମ ଦେଇ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ କହି ଦିନ ୧୦ଟା ବେଳେ ଘରୁ ବାହାରି ଆସିଥିଲେ । ସ୍ୱାମୀ ଘରକୁ ଫେରିବା ବିଳମ୍ବ ଯୋଗୁଁ ସ୍ତ୍ରୀ ଶୁଭଲକ୍ଷ୍ମୀ ପପୁନିକୁ ମୋବାଇଲ୍ରେ ଯୋଗାଯୋଗ କରିବାରୁ ମୋବାଇଲ୍ ସୁଇଚ୍ ଅଫ୍ ଥିବା ଜାଣିବାକୁ ପାଇ ଚିନ୍ତାରେ ରହିଥିଲେ । ଗତକାଲି ମଙ୍ଗଳବାର ପପୁନି କାମ କରୁଥିବା ଗ୍ୟାରେଜ୍ ମାଲିକ ସହିତ ଯୋଗାଯୋଗ କରିବାରୁ ପପୁନି ଗ୍ୟାରେଜ୍କୁ ଯାଇନାହିଁ ବରଂ ତା ବାଇକ୍ଟି ଯାବରା ବ୍ରିଜ୍ ନିକଟରେ ଏକ ପାନ ଦୋକାନ ନିକଟରେ ଥିବା ଜଣାଇଥିଲେ । ସ୍ତ୍ରୀ ଶୁଭଲକ୍ଷ୍ମୀ ଓ ପପୁନିର ପରିବାର ଲୋକେ ଆସି ଦୋକାନ ନିକଟରେ ଥିବା ପପୁନିର ହିରୋ ବାଇକ୍ ଏବଂ ଗାଡିର ଚାବିକାଠି ଦୋକାନୀ ନିକଟରେ ଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ସନେ୍ଦହ କରି ସ୍ତ୍ରୀ ଶୁଭଲକ୍ଷ୍ମୀ ବିଶ୍ୱାଳ ଗତକାଲି ଦିନ ୧ଟା ବେଳେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତିକରି କୁଆଖିଆ ପୁଲିସ୍ ନିଖୋଜ କେସ୍ ନଂ୫୧/୨୫ମାମଲା ରୁଜ୍ଜୁ କରି ଦୋକାନୀ ସୁଶାନ୍ତ ଜେନାକୁ ଥାନାରେ ଅଟକ ରଖିଛନ୍ତି । କିନ୍ତୁ ଘଟଣା ଘଟିବାର ୩ଦିନ ବିତିଗଲା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ କାହିଁକି ବିଳମ୍ବ ହେଉଛି ବୋଲି ପ୍ରତିକ୍ରିୟାଶୀଳ ହୋଇ ଗ୍ରାମବାସୀ ଓ ପପୁନିର ପରିବାର ଲୋକେ କୁଆଖିଆ-ଜେନାପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ । ଖବର ପାଇ କୁଆଖିଆ ଥାନା ଆଇଆଇସି ଚିନ୍ମୟୀ ସାହୁ ପୁଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଁଚି ଗ୍ରାମବାସୀଙ୍କୁ ତଦନ୍ତ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବେ ବୋଲି ବୁଝାଇବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ପପୁନିର ଘର ଲୋକଙ୍କ କହିବା ଅନୁଯାୟୀ ପପୁନିର ଗାଡି ଚାବି ଦୋକାନୀ ନିକଟକୁ ଆସିଲା କିପରି? । ଦୋକାନୀ ସୁଶାନ୍ତ ତା ଘର ଲୋକଙ୍କୁ ନଜଣାଇ କିପରି ଗାଡିକୁ ବ୍ୟବହାର କରୁଥିଲା ସେ ନେଇ ପରିବାର ଲୋକ ଓ ଗ୍ରାମବାସୀ ଦୋକାନୀ ଉପରେ ସନେ୍ଦହ କରିଛନ୍ତି । ଶୁଣିବାକୁ ମିଳୁଛି ପପୁନି ପଡୋଶୀ ଗ୍ରାମର ନିଜ ସ୍ତ୍ରୀ ଶୁଭଲକ୍ଷ୍ମୀଙ୍କୁ ପ୍ରେମ ବିବାହ କରି ପରିବାର ଠୁ ଅଲଗା ହୋଇ ନଠୁଆବର ପଞ୍ଚାୟତ ଆଦମପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରଭଡା ନେଇ ରହୁଥିଲେ । ତାଙ୍କର୪/୫ ମାସର ଛୁଆଟିଏ ଅଛି । ଏହି ଘଟଣାରେ ପୁଲିସ ସାଉଁଟି ଜେନାକୁ  ଅଟକ ରଖି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିଥିଲା ବେଳେ ଘଟଣାର ରହସ୍ୟ ଜଣାପଡି ନାହିଁ ।