ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

 ବାଲେଶ୍ୱର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟତା ଯୋଜନା ଅନ୍ତର୍ଗତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମୋଟ ୩୭୫ ଜଣ ହିତାଧିକାରୀଙ୍କୁ ଡ଼ିବିଟି ମାଧ୍ୟମରେ ୭୯,୮୫,୨୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ପଚାଶରୁ ଊର୍ଦ୍ଧ୍ୱ ଶ୍ରମିକମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଠାରୁ ଚେକ୍ ମାଧ୍ୟମରେ ନିଜର ସହାୟତା ରାଶି ଗ୍ରହଣ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ  ଶିବ ନାରାୟଣ ସାହୁ (ପ୍ରବର୍ତ୍ତନ), ଜିଲ୍ଲା ଶ୍ରମ ଅଧିକାରୀ (ମଙ୍ଗଳ) ଦୀପ୍ତିରଞ୍ଜନ ସାହୁ, ଜିଲ୍ଲାର ସମସ୍ତ ସହକାରୀ ଶ୍ରମ ଅଧିକାରୀ ଓ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ନିର୍ମାଣ ଶ୍ରମିକ ସହାୟତା ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହି ଯୋଜନାରେ ଶିକ୍ଷା ସହାୟତା ଅନ୍ତର୍ଗତ ୨୯୨ ଜଣଙ୍କୁ ୩,୬୫,୨୦୦ ଟଙ୍କା ପ୍ରଦାନ କରାଯାଇଥିବାବେଳେ ବିବାହ ସହାୟତା ଅନ୍ତର୍ଗତ ୨୫ ଜଣଙ୍କୁ ୧୨,୫୦,୦୦୦ ଟଙ୍କା, ମୃତୁ୍ୟକାଳୀନ ସହାୟତା ଅନ୍ତର୍ଗତ ୧୭ ଜଣଙ୍କୁ ୩୪,୦୦,୦୦୦ ଟଙ୍କା, ଅନ୍ତେଷ୍ଟି ସହାୟତା ଅନ୍ତର୍ଗତ ୧୨ ଜଣଙ୍କୁ ମୋଟ ୬୦,୦୦୦ ଟଙ୍କା ଏବଂ ପ୍ରସୂତିକାଳୀନ ଅନ୍ତର୍ଗତ ୧୧ ଜଣଙ୍କୁ ମୋଟ ୧,୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।   ଜିଲ୍ଲା ଶ୍ରମଅଧିକରୀ ଦୀପ୍ତିରଞ୍ଜନ ସାହୁ ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ଶ୍ରମ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଭା କାର୍ଯ୍ୟରେ ସହାୟତା କରିଥିଲେ ।