ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ତେଜୁଛି ଅସନ୍ତୋଷ
ବୈଶିଙ୍ଗା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ବୃହତ ପଞ୍ଚାୟତ ଭାବେ ବୈଶିଙ୍ଗା ପଞ୍ଚାୟତକୁ ଭାଙ୍ଗି କେନ୍ଦୁଆକୁ ନୂତନ ପଞ୍ଚାୟତର ମାନ୍ୟତା ପ୍ରଦାନ କରାଗଲା । ନିର୍ବାଚନରେ ପ୍ରଥମ ମହିଳା ସରପଞ୍ଚ ଭାବେ ସ୍ନିଗ୍ଧା ରାଣୀ ହାଁସଦା ନିର୍ବାଚିତ ହୋଇଥିଲେ । କେନ୍ଦୁଆ ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ନ ଥିବାରୁ ବୈଶିଙ୍ଗା ପଞ୍ଚାୟତର ପୁରୁଣା କାର୍ଯ୍ୟାଳୟରେ କେନ୍ଦୁଆ କାର୍ଯ୍ୟାଳୟ ଚାଲିଥିଲା ଏବେ ବି ଚାଲୁଛି । ଅନ୍ୟପକ୍ଷରେ ଏହି ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣକୁ ନେଇ ତେଜୁଛି ଅସନ୍ତୋଷ ।
ପ୍ରକାଶ ଯେ, ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁରୀ ମିଳିବା ପରେ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପତ୍ର ସଂଖ୍ୟା୫୧୮/୧୩.୨.୨୦ ବଳରେ ଉପ ଜିଲ୍ଲାପାଳ ବାରିପଦାଙ୍କ ସହିତ ଯୁଗ୍ମ କମିଟି ଗଠନ କରାଯାଇ ମୋହନପୁର ଠାରେ ଖାତା ନଂ ୧୩୦, ପ୍ଲଟ ନଂ ୨୭୫.ରେ ଗୃହ ନିର୍ମାଣ କରାଯିବାର ସିଦ୍ଧାନ୍ତ ନିଆଯାଇଥିଲା । ଏହା ପରେ ତା ୩୦.୭.୨୦ରିଖରେ ସ୍ୱତନ୍ତ୍ର ପଲ୍ଲୀ ସଭା ଡକାଯାଇ ଏହି ଜମିଟି ଜଙ୍ଗଲ କିସମ ଥିବାରୁ ଘରବାରିରେ ପରିବର୍ତ୍ତନ କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇ ରାଜସ୍ୱ ବିଭାଗକୁ ଅନୁରୋଧ କରାଯାଇଥିଲା । ପଲ୍ଲୀସଭା ପରେ ତା୧୮.୧୧.୨୦ରିଖ ଗ୍ରାମସଭାରେ ଅନୁମୋଦନ କରାଯିବା ସହିତ ପ୍ରସ୍ତାବ ପାରିତ କରାଗଲା । ମାତ୍ର କେତେକ ରାଜନୈତିକ ବଡ ପଣ୍ଡାଙ୍କ ଚକ୍ରାନ୍ତରେ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯିବା ଯୋଗୁଁ ସପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ବଳ କଷା କଷି ଚାଲିଲା । ଯାହା ଫଳରେ ଆଠ ବର୍ଷ ପରେ ମଧ୍ୟ ଗୃହ ନିର୍ମାଣ ହୋଇ ପାରିଲାନାହିଁ । ଏଥିପାଇଁ ତତ୍କାଳୀନ ସରପଞ୍ଚ ସ୍ନିଗ୍ଧା ରାଣୀ ହାଁସଦଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କୁ ତା୧୮.୧୧.୨୧ ରିଖରେ ଏକ ଦାବିପତ୍ର ଦିଆଯିବା ସହିତ ପ୍ରକଳ୍ପ ନିଦେ୍ର୍ଦଶକ, ଉପଜିଲ୍ଲାପାଳ ଓ ପଞ୍ଚାୟତ ଅଧିକାରୀ ବାରିପଦାଙ୍କୁ ଏହାର ଏକକିତା ନକଲ ଦିଆଗଲା । ଏହାପରେ ଆଉଥରେ ଯୁଗ୍ମ କମିଟି ଦ୍ୱାରା ସ୍ଥାନ ନିରୁପଣ କରାଯିବ ବୋଲି ଜଣାଇ ଦିଆଗଲା । ମାତ୍ର ୨୦୨୨ ପଞ୍ଚାୟତ ନିର୍ବାଚନରେ ସ୍ନିଗ୍ଧାଙ୍କ ସ୍ୱାମୀ ମନମୋହନ ମାଝୀ ନିର୍ବାଚିତ ହେବା ପରେ କୌଣସି ଗ୍ରାମସଭାରେ ସ୍ଥାନ ନିରୁପଣ ପାଇଁ ସିଦ୍ଧାନ୍ତ ନିଆନଯାଇ ତା ୨୨.୧୧.୨୪ରିଖରେ ବିଧାୟକ ସନାତନ ବିଜୁଳିଙ୍କ କରକମଳରେ ବୈଶିଙ୍ଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜା କରାଗଲା ।ଏଭଳି ଏକଛତ୍ରବାଦ କାର୍ଯ୍ୟକୁ ବିରୋଧ କରି ମୋହନପୁର ଠାରେ ୯ ଗୋଟି ୱାର୍ଡର ୱାର୍ଡ ସଭ୍ୟଙ୍କ ସହିତ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପୂର୍ବ ନିର୍ଦ୍ଧାରିତ ସ୍ଥାନ ମୋହନପୁର ଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ କରାଯିବା ପାଇଁ ପ୍ରସ୍ତାବ ପାରିତ କରାଗଲା । ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିବା ସ୍ଥାନଟି ୫/୬ କି.ମି ଦୂର ହେବା ଯୋଗୁଁ ରାସନ ଚାଉଳ ଆଣିବା, ବୃଦ୍ଧ /ବୃଦ୍ଧାମାନଙ୍କୁ ଭତ୍ତା ଆଣିବା ବହୁ କଷ୍ଟକର ହେବ ବୋଲି ଅଭିଯୋଗ କରାଯାଇଛି । ଏଥିସହିତ ଯେଉଁ ଉଦେ୍ଦଶ୍ୟରେ ବଡ ପଞ୍ଚାୟତକୁ ଭାଙ୍ଗି ନୂତନ ପଞ୍ଚାୟତ ସୃଷ୍ଟି କରାଗଲା ତାର ଉଦେ୍ଦଶ୍ୟ ସାଧନ ହୋଇ ପାରିଲା ନାହିଁ । ଏହି ସବୁ ଦୃଷ୍ଟିରୁ ପୁନର୍ବାର ସ୍ଥାନ ନିରୁପଣ କରାଯାଇ ଗୃହ ନିର୍ମାଣ କରାଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ ମାନେ ମତପ୍ରକାଶ କରିଛନ୍ତି ।