ପଦ୍ମ ଧରିଲେ ପ୍ରାକ୍ତନ ଜିଲ୍ଲା ପରିଷଦଙ୍କ ପୁଅ
ଯଖପୁରା : ମାତ୍ର କେଇଟା ଦିନ ପୂର୍ବରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଅରାଜକତା, ଅଶାନ୍ତି ଓ ଗୁଣ୍ଡାରାଜକୁ ବିରୋଧ କରି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କଳା ଦିବସର ଆହ୍ୱାନ ଦେଇଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ସାମିଲ ହୋଇଏହାକୁ ସଫଳ କରିଥିଲେ । କଳାଦିବସ ସଫଳତାକୁ ନେଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ଉତ୍ସାହିତ ହୋଇଯାଇଥିଲେ । ଏହା ମଧ୍ୟ ଆଶା କରାଯାଉଥିଲା କି କଳା ଦିବସର ବିଶାଳ କର୍ମୀ ସମାବେଶକୁ ଦେଖି ବିଜେପି ପାର୍ଟିରେ ଛନକା ପଶିଥିଲା । ମାତ୍ର ତାହା ଭୁଲ ପ୍ରମାଣିତ ହେଲା ପରି ଲାଗୁଛି । ପୂର୍ବରୁ ଦାନଗଦୀ ବ୍ଲକ୍ର ୧୦ ନମ୍ବର ଜୋନର ଅନେକ ଛାମୁଆ କର୍ମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉ କି ପରେ ନିଜ ନିଜର ଠିକାଦାରୀ ହେଉ କି ନୂତନ କାମ ଆଶାରେ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ କଳା ଦିବସ ପାଳନ ପରେ ପୁନର୍ବାର ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଶକ୍ତ ଧକ୍କା ଲାଗିଛି । ୧୦ନମ୍ବର ଜୋନର ପ୍ରାକ୍ତନ ଜିଲା ପରିଷଦ ସୁଶାନ୍ତ କୁମାର ସାମଲଙ୍କ ପୁଅ ପ୍ରଭୁପ୍ରୀୟ ଗତକାଲି ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ଯାହା ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଶକ୍ତ ଧକ୍କା ବୋଲି କୁହାଯାଉଛି । ଏକଦା ସାଧାରଣ ନିର୍ବାଚନ ସମୟରେ ପ୍ରାକ୍ତନ ଜିଲାପରିଷଦ ବିଜେଡି ସହିତ ରହିଥିଲେ । ଏମିତିକି ପୂର୍ବତନ ମନ୍ତ୍ରୀଙ୍କ ସାଙ୍ଗରେ ରହି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ତାଙ୍କ ପୁଅ ବିଜେପିରେ ସାମିଲ ପରେ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଶକ୍ତ ଧକ୍କା ଲାଗିଛି । ସୂଚନା ଥାଉ କି ପୂର୍ବରୁ ୩୯ ନମ୍ବର ଜୋନ ଓ ୩୮ ନମ୍ବର ଜୋନର ଜିଲା ପରିଷଦ ବିଜେଡ଼ି ଛାଡ଼ି ପଦ୍ମ ଶିବିରରେ ଯୋଗଦେଇଥିଲେ । ଯାହା ସେତେ ବେଳେ ପ୍ରୀତି ରଞ୍ଜନଙ୍କୁ ଧକ୍କା ଲାଗିଥିଲା । ଯଦି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୀତିକୁ ନିରିଖି ଦେଖିବା ତେବେ ବିଜେଡିର ଅନେକ ଛାମୁଆ କର୍ମୀ ବିଜେପି ଶିବିରରେ ଯୋଗଦେଇ ସାରିଛନ୍ତି । ଏଥିରେ ରୋକ୍ ଦେବା ପାଇଁ ପ୍ରୀତିରଞ୍ଜନ ଅନେକ ଚେଷ୍ଟା ଚଳାଉଥିଲେ ବି ସଫଳ ହେଉ ନାହାନ୍ତି । ପ୍ରତ୍ୟେକ ଦିନ ନିର୍ବାଚନ ମଣ୍ଡଳୀକୁ ଭ୍ରମଣରେ ଯାଉଥିବା ବେଳେ କର୍ମୀ ବା ଛାମୁନା ନେତା ବିଜେପିକୁ ଲମ୍ପ ମାରୁଛନ୍ତି । ଯାହା ପୂର୍ବତନ ମନ୍ତ୍ରୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଥିରେ ଯଦି ରୋକ୍ ନ ଲାଗେ ତେବେ ଆଗାମୀ ଦିନରେ ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହେବାର ଆଶଙ୍କା ରାଜନୈତିକ ମହଲରେ କରାଯାଉଛି ।