ପରିଚାଳକଙ୍କୁ ଡାକ୍ତରଙ୍କ ଆକ୍ରମଣ
ଧର୍ମଶାଳା : ଏହିଥାନା ୧୬ ନଂ ଜାତୀୟ ରାଜପଥ ନେଉଳପୁର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲର ପରିଚାଳକଙ୍କୁ ସ୍ଥାନୀୟ ଅଂଚଳର ଜଣେ ଡାକ୍ତର ମାଡ ମାରି ଗୁରୁତର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ମୁତାବକ କୁଆଖିଆ ସ୍ଥିତ ଏକ ଘରୋଇ ହସପିଟାଲରେ ଡାକ୍ତର ଭାବେ କାମ କରୁଥିବା ଧର୍ମଶାଳା ଥାନା ସାରୋଇ ଗ୍ରାମର ଡାକ୍ତର ସତ୍ୟବ୍ରତ ଜେନା ଗତକାଲି ସନ୍ଧ୍ୟାରେ ନେଉଳପୁର ନିକଟରେ ଥିବା ଘରୋଇ ହସପିଟାଲର ପରିଚାଳକ ତପନ ବେଉରିଆଙ୍କୁ ଫୋନ କରି କାହିଁକି ଲୋକଙ୍କୁ ମୋ ସମ୍ପର୍କରେ ଭୁଲ ତଥ୍ୟ ଦେଉଛ ବୋଲି ପଚାରିଥିଲେ । ଏହାପରେ ରାତି ପ୍ରାୟ ୯ଟା ବେଳକୁ ଡାକ୍ତର ଶ୍ରୀଜେନା ସାଙ୍ଗରେ ୨/୩ଜଣଙ୍କୁ ଧରି ନେଉଳପୁର ସ୍ଥିତ ହସପିଟାଲର ପରିଚାଳକଙ୍କୁ ଫୋନ କରି ବାହାରକୁ ଆସିବା ପାଇଁ କହିଥିଲେ । ଫୋନପାଇ ପରିଚାଳକ ଶ୍ରୀବେଉରିଆ ବାହାରକୁ ଆସିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ପରେ ଡାକ୍ତର ଶ୍ରୀ ଜେନା ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ପରିଚାଳକ ଶ୍ରୀ ବେଉରିଆଙ୍କ ହାତ ଭାଙ୍ଗିଯିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ହସପିଟାଲର ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।