୭ରେ "ଇଦ-ଉଲ୍-ଜୁହା' ପର୍ବ
ଭଦ୍ରକ : ଭଦ୍ରକ ମୁସଲିମ ଜମାତର ଏକ ବୈଠକ ପୁରୁଣା ବଜାର ସ୍ଥିତ ମଦିନା ମଇଦାନ ଠାରେ ଉପସଭାପତି ମହମ୍ମଦ ଜକାଉଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଇଦ୍-ଉଲ-ଜୁହା ପର୍ବ ପାଇଁ ବସିଥିଲା ଏବଂ ଚନ୍ଦ୍ର ଦର୍ଶନର ପ୍ରମାଣ ପାଇଲା ପରେ ଚଳିତ ଜୁନ ୭ ତାରିଖ ଶନିବାରରେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ପାଳନ ହେବ ବୋଲି ସିଦ୍ଧାନ୍ତ ହେଲା । ପୁରୁଣା ବଜାର ସ୍ଥିତ ଜାମା ମସଜିଦରେ ସକାଳ ୮-୧୫ ମିନିଟ ଓ ଇଦଘା ଠାରେ ସକାଳ ୮-୩୦ ମିନିଟ ରେ ସମୂହ ନମାଜ ପାଠ ହେବ ଏବଂ ଭିନ୍ନ ଭିନ୍ନ ମସଜିଦରେ ସକାଳ ୭ ଘଟିକା ଠାରୁ ସକାଳ ୯ ଘଟିକା ମଧ୍ୟରେ ନମାଜ ପାଠ ସରିବ । ଇସଲାମ ଧର୍ମରେ ମୁସଲମାନ ମାନଙ୍କ ସମସ୍ତ ପର୍ବପର୍ବାଣୀ ଚନ୍ଦ୍ର ଦର୍ଶନକୁ ନେଇ ଦିନ ଗଣନା କରାଯାଇ ପ୍ରତ୍ୟେକ ପର୍ବ ପାଳନ ହୋଇଥାଏ । ଇସଲାମ ଧର୍ମର ଶେଷ ମାସ ଇଦ-ଉଲ-ଯୋହା ପର୍ବ ଭଦ୍ରକ ଓ ଆମ ଭାରତ ସହିତ ବିଶ୍ୱରେ ମଧ୍ୟ ଏହି ପର୍ବ ପାଳନ ହୋଇଥାଏ । ଏହି ପର୍ବ ତ୍ୟାଗ, ଧର୍ମ, ଦାନ, ଖୁସୀ , ବଳିଦାନ ଓ ଭାଇଚାରା ର ପର୍ବ ଓ ଏହି ପର୍ବ ଚନ୍ଦ୍ର ଦର୍ଶନର ୧୦ ଦିନରେ ହୋଇଥାଏ । ଏହି ବୈଠକରେ ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, ହାଜି ଅନୱାର ହୋସେନ, ହାଜି କାସିମ ଖାନ, ମିର୍ଜା ଏକ୍ରାମ ବେଗ, ଅସରଫ ଅଲି ଖାନ, ଜମିଲ ଅଖତର ଖାନ, ଇଂ. ରେଜାଏ ରସୁଲ, ଇଂ. ହବିବୁଲ୍ଲା ଖାନ, ମାଷ୍ଟର ମୁସ୍ତାକ ଗୌହର ଓ ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଚଳିତ ଜୁନ ୭, ୮ ଓ ୯ ତାରିଖ ତିନିଦିନ ପର୍ଯ୍ୟନ୍ତ ପର୍ବ ଚାଲୁ ରହିବ ।