ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ
ସୋନପୁର: ସୋନପୁର-ସୁବର୍ଣ୍ଣପୁର ଜିଲ୍ଲାରେ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତର ଅଭିଯୋଗ ହୋଇଛି । ଯାହା ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି । ୩୨ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ଆତ୍ମପ୍ରକାଶ ପାଇଲା ପରେ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇପାରିନାହିଁ । ଜିଲ୍ଲା ସଦର ମହକୁମା ମନ୍ଦିର ମାଳିନୀ ସୋନପୁର ସହରରେ ସର୍ବନିମ୍ନ ସୁବିଧା ବସଷ୍ଟାଣ୍ଡ ହୋଇପାରି ନାହିଁ । କିନ୍ତୁ ଗତ ୧୩ ତାରିଖ ମୋ ବସଷ୍ଟାଣ୍ଡର ସ୍କିମରେ ସୋନପୁର ବସଷ୍ଟାଣ୍ଡର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ନୂତନ ବସଷ୍ଟାଣ୍ଡ ନେଇ ଆଶା ଉଜ୍ଜିବିତ ହୋଇଛି । ଏବେ ବି ଜିଲ୍ଲାରୁ ବିଭିନ୍ନ ଅଞ୍ଚଳକୁ ସରକାରୀ ବସ ଚାଲି ପାରିନାହିଁ । ସୋନପୁର ସଦର ମହକୁମା ଠାରୁ କଟକ ଓ ଭୁବନେଶ୍ୱରଙ୍କୁ ସରକାରୀ ବସ ଚାଲି ପାରି ନାହିଁ । ଜିଲ୍ଲାର ଯାତ୍ରୀମାନେ ବସର ପଛ ପଟେ କିମ୍ୱା ଚକ ଉପରେ ସିଟ ପାଇ ଅସୁବିଧା ସାମନାରେ କରୁଥିବାର ଅଭିଯୋଗ କରୁଛନ୍ତି । ସୋନପୁର - ହରିଶଙ୍କର ଏବଂ ସୋନପୁର-କେନ୍ଦୁଝର ତାରିଣୀ ପୀଠକୁ ସରକାରୀ ବସ ଚଳାଇବା ପାଇଁ ଦାବି ହେଉଛି । ଏହା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ପ୍ରଗତି ପାଇଁ ଠୋସ ପଦକ୍ଷେପ ହୁଅନ୍ତା । ପ୍ରତିଦିନ ସକାଳେ ଚାଲୁଥିବାର ସୋନପୁର-ସୁନ୍ଦରଗଡ ବସକୁ ରାଉଲକେଲା ସଂପ୍ରସାରଣ କରିବାକୁ ଦାବି ହେଉଛି । ଯାହା ସମ୍ବଲପୁର , ଝାରସୁଗୁଡ଼ା ,ସୁନ୍ଦରଗଡ ସହ ରାଉଲକେଲାଙ୍କୁ ଗମନାଗମନ ସୁଗମ ହେବ । ବାଣିଜ୍ୟ ଅଭିବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ସୋନପୁର- ଦେବଗଡକୁ ନୂତନ ବସ ଚଳାଚଳ କରିବା ପରି ଜନହିତ ଦାବୀକୁ ରାଜ୍ୟ ପରିବହନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି । ଏବେ ରାଜ୍ୟର ଶାସିତ ବିଜେପି ନୂତନ ସରକାର ସୁବର୍ଣ୍ଣପୁର ଜିଲ୍ଲା ପରିବହନ କ୍ଷେତ୍ର ବିଭିନ୍ନ ସମସ୍ୟା ବ୍ୟବସ୍ଥିତ କଲେ । ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବିକାଶ ସହ ଜିଲ୍ଲାର ଛଅଟି ବ୍ଳକ ସହ ପଡେଶୀ ଜିଲ୍ଲାର ଜନସାଧାରଣ ଉପକୃତ ହେବେ ।