ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ
କଟକ: ଜଳ ସଂପଦ ବିଭାଗ ପକ୍ଷରୁ କଟକ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଚଳିତ ଡିସେମ୍ବର ୨୨ ତାରିଖରୁ ଆସନ୍ତା ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ବିଭିନ୍ନ ବିଭାଗର ସହଯୋଗରେ ପାଳିତ ହେବାକୁ ଯାଉଥିବା ଏହ ପକ୍ଷରୁ ଶୁଭାରମ୍ଭ ଡିସେମ୍ବର ୨୨ ତାରିଖ ଦିନ ପାଣି ପଂଚାୟତର ଉପାଦେୟତା ବାର୍ତ୍ତା ବହନ କରୁଥିବା ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯିବ । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକକୁ ଭ୍ରମଣ କରିବ । ଏହି ପକ୍ଷ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଚି । ଏହି ପକ୍ଷ ପାଳନର ଅଂଶ ବିଶେଷ ଭାବେ ପ୍ରତାପ ନଗରୀ ସ୍ଥିତ ୱାଲମି ଠାରେ ଚଳିତ ଡିସେମ୍ବର ୨୯ ତାରିଖ ଦିନ ଏକ ପ୍ରଦର୍ଶନୀ ଆୟୋଜିତ ହେବ । ଯେଉଁଥିରେ କୃଷି ପଶୁପାଳନ ଏବଂ ପଶୁ ଚିକିସôା, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନକୃଷି, ମତ୍ସ୍ୟ, ଉଠାଜଳସେଚନ, ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ, ଗବେଷଣାରତ ଅନୁଷ୍ଠାନ ଆଦି ଅଂଶଗ୍ରହଣ କରି ସେମାନଙ୍କର କାର୍ଯ୍ୟକଳାପ ତଥା ଯନ୍ତ୍ରାଂଶର ପ୍ରଦର୍ଶନ କରିବେ । ଏହି ଅବସରରେ ଜିଲ୍ଲାର ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଣି ପଂଚାୟତ ବିଷୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । କୃତି ପ୍ରତିଯୋଗୀମାନଙ୍କୁ ଜାନୁଆରୀ ୫ତାରିଖରେ ହେବାକୁ ଥିବା ଉଦ୍ୟାପନୀ ସମାରୋହରେ ପୁରସ୍କୃତ କରାଯିବ । ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନର ବିଭିନ୍ନ ଉତ୍ସବରେ ଜିଲ୍ଲାର ପ୍ରତିନିଧିମାନେ ସାମିଲ ହେବେ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିରଷ୍ଠ ଇଂ ହେମନ୍ତ ପାଣ୍ଡବ, ବିଜୟ ସେଠୀ, ମଳୟ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କରଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।