ପୁରୀରେ ନାବାଳକ ମୃତ : ୪ ଲକ୍ଷର ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୀ : ଆଜି ସକାଳ ସମୟରେ ପୁରୀ ବଳଗଣ୍ଡି ଛକରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ବର୍ଷର ନାବାଳକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନାବାଳକ ପରିବାର ପକ୍ଷକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ନାବାଳକ ପରିବାର ଓ ସ୍ଥାନୀୟ ଲୋକ ପୁରୀ ମେଡ଼ିକାଲ ଛକଠାରେ ଉତ୍ତେଜନା କରିବା ସହ ଟାୟାର ଜାଳି ରାସ୍ତା ରୋକ କରିଥିଲେ ।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ସ୍କୁଟି ଯୋଗେ ମୃତକ ନାବାଳକ ତାଙ୍କ ଜେଜେଙ୍କ ସହ ବଳଗଣ୍ଡି ଛକକୁ ଜଳଖିଆ ପାଇଁ ଆସିଥିଲେ । ଜଳଖିଆ କିଣିବା ପରେ ଉଭୟ ଘରରକୁ ଫେରୁଥିଲେ । ଫେରିବା ସମୟରେ ବଳଗଣ୍ଡି ଛକ ନିକଟରେ ପଛପଟୁ ଆସୁଥିବା ଏକ ବୋଲେରୋ ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା । ଜେଜେ ତଳେ ପଡିଯିବା ପରେ ବୋଲେରୋଟି ଛୋଟ ପିଲାଟିକୁ ଘୋଷାଡି ନେଇଥିଲା । ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଫେରାର ହେଉଥିବା ସମୟରେ ସ୍ଥାନୀୟ ଲୋକ ଡ୍ରାଇଭରକୁ କାବୁ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଛନ୍ତି । ଏହାଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ବୋଲେରୋ ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
Samir Kumar Rout