ସରିଲା ରବି ଚାଉଳ ଫେରାଇବା ଅବଧି ବାକି ଅଛି ୯.୮୮ ଲକ୍ଷ କ୍ୱିଣ୍ଟାଲ ଚାଉଳ
ସୋନପୁର: ଓଡିଶା ରାଜ୍ୟର ଅଧିକ ଧାନଅମଳ ହେଉଥିବା ଜିଲ୍ଲା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପରିଗଣିତ ହୋଇଥାଏ । ଜିଲ୍ଲାର ଡୁଙ୍ଗୁରିପାଲି, ବିନିକା ବ୍ଲକ୍ ଅଞ୍ଚଳ ହିରାକୁଦ କେନାଲରୁ ଜଳସେଚିତ ହୋଇଥାଏ । ଠିକ ସେହିପରି ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ୍ର କେତେକ ଅଂଶ ଉଠାଜଳସେଚନ ପଏଣ୍ଟରୁ ଜଳସେଚିତ ହୋଇଥାଏ । ଏହା ବାଦ ଅଙ୍ଗକେନାଲରୁ ସୋନପୁର ବ୍ଲକ୍ର କିଛି ଅଂଶ ଓ ଉଠାଜଳସେଚନରୁ ତରଭା ବ୍ଲକ୍ର କିଛି ଅଂଶରେ ଜଳସେଚନ ହେଉଥିବାରୁ ଜିଲ୍ଲାରେ ଧାନଚାଷ ଭଲ ହୋଇଥାଏ । ଉଭୟ ଖରିଫଋତୁ ଓ ରବିଋତୁରେ ମିଶି ପ୍ରାୟ ୮୦ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ଅମଳ ହୋଇଥାଏ । ଏହି ଧାନକୁ ସୁବର୍ଣ୍ଣପୁର ଜିଲ୍ଲାର ୫୦ଟି ମିଲର୍ସ ଓ ସମ୍ବଲପୁରର କିଛି ମିଲର୍ସ କଷ୍ଟମିଲିଂରେ ନେଇଥାନ୍ତି । ମିଲର୍ସମାନେ ରାଜ୍ୟ ଯୋଗାଣ ନୀଗମ ଠାରୁ କଷ୍ଟମମିଲିଂରେ ଧାନ ନେଇ ଚାଉଳ ଫେରାଇଥାନ୍ତି । ରବିଚାଉଳ ଫେରାଇବାର ଶେଷତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିଥାଏ । ଏହି ନିର୍ଦ୍ଧାରିତ ତାରିଖ ମଧ୍ୟରେ ମିଲର୍ସମାନେ ଚାଉଳ ଏଫସିଆଇ କିମ୍ବା ଯୋଗାଣନିଗମର ଆରଆରସିରେ ଚାଉଳ ଫେରାଇବା କଥା । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ରବିଋତୁରେ ନେଇଥିବା ଧାନର ଚାଉଳ ଫେରିନାହିଁ । ସୋନପୁର ଜିଲ୍ଲା ଯୋଗାଣନୀଗମ କାର୍ଯ୍ୟାଳୟରୁ ସୂଚନା ନେବାରୁ ଜଣାପଡିଛି ଯେ, ଜିଲ୍ଲାର ପ୍ରାୟ ମିଲର୍ସଙ୍କ ପାଖରେ ୯ ଲକ୍ଷ ୮୮ ହଜାର କ୍ୱିଣ୍ଟାଲ ଚାଉଳ ଆଜି ପର୍ଯ୍ୟନ୍ତ ବାକି ରହିଛି । ଆଜି ପର୍ଯ୍ୟନ୍ତ ମିଲର୍ସମାନେ ମାତ୍ର ୨୮.୬୫% ଚାଉଳ ଫେରାଇଛନ୍ତି । ରବିଋତୁରେ ଜିଲ୍ଲାରେ ଅମଳ ହୋଇଥିବା ୨୦, ୩୨, ୩୧୯ କ୍ୱିଣ୍ଟାଲ ଧାନକୁ ୫୦ମିଲର୍ସ କଷ୍ଟମମିଲିଂରେ ନେଇଥିଲେ । ଏଥିପାଇଁ ସେମାନଙ୍କଠାରୁ ରାଜ୍ୟ ଯୋଗାଣନୀଗମ ମୋଟ ୧୩,୮୧,୯୯୭ କ୍ୱିଣ୍ଟାଲ ଚାଉଳ ଫେରିପାଇବା କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଫେରିଛି ମାତ୍ର ୩, ୯୭, ୧୩୧ କ୍ୱିଣ୍ଟାଲ ଚାଉଳ ଯାହାକି ମୋଟ ଚାଉଳର ୨୮.୬୫% । ଫଳରେ ଆଉ ପ୍ରାୟ ୭୧% ଚାଉଳ ରାଜ୍ୟ ଯୋଗାଣନୀଗମ ପାଇବାର ଅଛି । ଯୋଗାଣବିଭାଗ କହୁଛି ଯେ, ଡୁଙ୍ଗୁରୀପାଲି ଏଫ୍ସିଆଇରେ ଶ୍ରମିକଙ୍କ ସମସ୍ୟା ଯୋଗୁଁ ଚାଉଳ ଡେଲିଭରି ହୋଇପାରିଲା ନାହିଁ । ସେଥିପାଇଁ ଏତେ ପରିମାଣରେ ଚାଉଳ ଫେରିପାରି ନାହିଁ । ଏଠି ପ୍ରଶ୍ନ ଉଠୁଛି ଯେ, ରାଜ୍ୟ ଯୋଗାଣ ନୀଗମ ଚାହିଁଥିଲେ ଅନ୍ୟ ଜିଲ୍ଲାର ଏଫସିଆଇ ଗୋଦାମକୁ ଚାଉଳ ପଠାଇ ପାରିଥାନ୍ତା, କିନ୍ତୁ ଚାଉଳ ପରିଚାଳନାରେ ଯୋଗାଣନୀଗମ ଫେଲ୍ ମାରିଲା । ଏବେ ମିଲ୍ରେ ସେହି ପରିମାଣର ଧାନ ନଥିବାରୁ ଚାଉଳ ଫେରାଇ ପାରୁନାହାଁନ୍ତି । ସୋନପୁର ଜିଲ୍ଲାରେ ଯୋଗାଣ ବିଭାଗରେ ମହାଦୁର୍ନିତୀ କାହାକୁ ଅଛପା ନାହିଁ । ପୂର୍ବରୁ ଏହି ବିଭାଗର ଆକାଉଣ୍ଟାଣ୍ଟ ଭିଜିଲାନ୍ସରେ ଧରାପଡିଥିବା ବେଳେ ଏବେ ଏବେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ବହୁକୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି । ସେପଟେ ମିଲର୍ସଙ୍କ ଗୋଦାମରେ ଧାନ କିମ୍ବା ଚାଉଳ ଅଛି ନା ନାହିଁ ତାହାର ଯାଞ୍ଚ ଏଫ୍ସିଆଇ ପକ୍ଷରୁ କରାଯାଉଛି । କେଉଁ ମିଲର୍ସଙ୍କ ପାଖରେ କେତେ ଚାଉଳ ଓ ଧାନ ଗଚ୍ଛିତ ରହିଛି କୌଣସି ତଥ୍ୟ ଦେଉନାହାଁନ୍ତି । ଏବେ ଚଳିତ ଖରିଫ ଧାନ କିଣା ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକର ୧୨ଦିନ ବିତି ଯାଇଥିଲେ ମଧ୍ୟ ଧାନ କ୍ରୟ କେନ୍ଦ୍ର ସ୍ଥିର ହୋଇ ନ ପାରିବା ସମସ୍ତଙ୍କୁ ତାଜୁବ କରିଛି । ଜିଲ୍ଲାର ସମସ୍ତ ମିଲର୍ସ ରବିଋତୁର ଚାଉଳ ଫେରାଇ ନଥିବା ବେଳେ ଖରିଫ ଧାନ ଉଠାଇବାକୁ ଚୁକ୍ତି କରିବେ କିପରି? ଯଦି ଜିଲ୍ଲାର ମିଲର୍ସ ଖରିଫ ଧାନ ନ ଉଠାଇବେ ତାହେଲେ ଜିଲ୍ଲାରେ ଧାନ କିଣାଯିବ କିପରି? ଏଭଳି ଦ୍ୱନ୍ଦରେ ଜିଲ୍ଲାର ଯୋଗାଣ ବିଭାଗ ରହିଛି । ଜିଲ୍ଲାରେ ଧାନକିଣା ନେଇ ଡିଏଲପିସି ବୈଠକ ବସିସାରିଛି । ହେଲେ କେମିତି ଧାନ କିଣାଯିବ ତାହା କେହି ସ୍ପଷ୍ଟ କରୁନାହାଁନ୍ତି । ଏନେଇ ଜିଲ୍ଲା ଯୋଗାଣବିଭାଗର ଅଧିକାରୀ କହୁଛନ୍ତି ଯେ, ସମସ୍ୟାର ସମାଧାନ କରାଯିବ ଓ ଧାନ କିଣା ଆରମ୍ଭ କରାଯିବ ।