ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

ନୂଆପଡା : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଗ୍ରାମ ପଞ୍ଚାୟତର ନୂଆ ରାଜପୁର ଗ୍ରାମରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରବାସୀ ଶ୍ରମିକସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାରେ ମିଳୁଥିବା ସାହାଯ୍ୟ ସହଯୋଗ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଡ଼ିଓ ନରସିଂହ ଗଡବା,ଡ. ଫଣିନ୍ଦମ୍ ସିଂ ଦେଓ ପ୍ରମୁଖ ଯୋଗଦେଇ ପ୍ରବାସୀ ଶ୍ରମିକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋକ ପାତ କରିଥିଲେ । ଲୋକେ ଗାଁରେ ରହି କାମ କରିବାକୁ ସମସ୍ତେ ଆହ୍ୱାନ ଦେଇଥିଲେ । ବିଭିନ୍ନ ବିଭାଗର ଅଧିକାରୀ ମାନେ ଏଥିରେ ସାମିଲ ହୋଇ ନିଜ ନିଜ ବିଭାଗ ତରଫରୁ ମିଳୁଥିବା ସୁବିଧା ଉପରେ ଲୋକଙ୍କୁ ବୁଝାଇ ଥିଲେ । ଏ ଅବସରରେ ମନରେଗାରେ ୩୦୦ ଦିନ କାର୍ଯ୍ୟ କରିଥିବା ସାତ ଜଣ ଶ୍ରମିକ ଏବଂ ୨୫୦ ଦିନରୁ ୨୯୯ ଦିନ କାମ କରିଥିବା ୧୩ ଜଣ ଶ୍ରମିକଙ୍କୁ ସମ୍ମାନିତ କରାଯାଇଥିଲା । ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା ଲୋକେ ଆବାସ ଯୋଜନାରୁ ବଞ୍ଚିତ ହେଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଥିଲେ । ଆର ଆଇ ସର୍କଲକୁ ସରଧାପୁରରେ ସାମିଲ ନକରି ଖାସ ବାହାଲ ପଞ୍ଚାୟତରେ ସ୍ୱତନ୍ତ୍ର ଆର ଆଇ ଅଫିସ ସ୍ଥାପନ, ସୁନ୍ଦର୍ ନଦୀରୁ ଜଳସେଚନ ବ୍ୟବସ୍ଥା ଆଦି ପାଇଁ ଲୋକେ ଦାବି କରିଥିଲେ । ଜିଲ୍ଲାପାଳ ଏନେଇ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ସମିତି ସଭ୍ୟ ହେମନ୍ତ ଶବର ଧନ୍ୟବାଦ୍ ଅର୍ପଣ କରିଥିଲେ ।