ପ୍ରଶାସନ ନାକତଳେ ବାଲି ବିକ୍ରି

ପ୍ରଶାସନ ନାକତଳେ ବାଲି ବିକ୍ରି

ଧାମନଗର : ଧାମନଗର ବ୍ଲକରେ  ବୈତରଣୀ ନଦୀପଠା ବାଲି ମାଫିଆଙ୍କ ଚରାଭୂଇଁ ସାଜିଛି । ବେଧଡକ ଭାବେ ବାଲି ଚୋରା ଚାଲାଣ ଚାଲିଛି । ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ଠାରୁ ଧୁଶୁରି ଥାନାର ବାଲିପାଟଣା, ଅସ୍ତକ, ହସନାବାଦ ଯାଏ ସବୁଠି ଚାଲିଛି ବାଲି ଚୋରାଚାଲାଣ । ପ୍ରଶାସନ ଆଖିରେ ଧୂଳି ଦେଇ ମାଫିଆମାନେ ବେଧଡ଼କ ବାଲି ଚୋରା ଚାଲାଣ ଚଲାଇଛନ୍ତି । ବୈତରଣୀ ନଦୀର ବିଭିନ୍ନ ନଦୀ ଘାଟରୁ  ପ୍ରତ୍ୟେକ ଦିନ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାଫିଆମାନେ ବାଲି ଚାଲାଣ କରି ମାଲାମାଲ ହେଉଥିବା ବେଳେ ଏଥିରେ ପୁଲିସ, ପ୍ରଶାସନର କିଛି ଅସାଧୁ କର୍ମଚାରୀ ସାମିଲ ରହୁଥିବା ମଧ୍ୟ କୁହାଯାଉଛି । ନିକଟର ଚୋରା ବାଲି ରୋକିବା ପାଇଁ ଖଣି ବିଭାଗ ପକ୍ଷରୁ ବାଲି ମାଫିଆଙ୍କ ସହଯୋଗରେ ସଚେତନତା କରିଥିଲେ । କେବଳ ସଭା ଓ ସୂଚନା ଫଳକରେ ସୀମିତ ରହିଯାଇଛି ଉକ୍ତ ସଚେତନତା କାର୍ଯ୍ୟକ୍ରମ । କିଛି ଅଧିକାରୀ ଓ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଆସ୍ଥାଭାଜନ ପାଇଁ ବୋର୍ଡ ଲଗାଇ ସଚେତନ କରାଇଛନ୍ତି । କିନ୍ତୁ ବାସ୍ତବରେ ବାଲି ଚାଲାଣ ଚୋକିବା ଦିଗରେ ନା ପୁଲିସ ନା ଖଣି ବିଭାଗ କେହି ବି ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ତେବେ ଚୋରା ବାଲି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ଅଭିଯାନ(ବାସା) ଆରମ୍ଭ କରିଛି । ସରକାରଙ୍କ ଠାରୁ ଅନୁମୋଦନ ମିଳିନଥିବା ବାଲି ଖାଦାନ ମାନଙ୍କରୁ ଅବୈଧ ଭାବେ ବାଲି ଉତ୍ତୋଳନ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲୁକା ଅଞ୍ଚଳ ସୁରକ୍ଷା ଅଭିଯାନର ଆରମ୍ଭ କରାଯାଇଛି । କିନ୍ତୁ ତାହା ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବା ଦିଗରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଥିଲା  । ସରକାର ‘ବାସା’ ଆରମ୍ଭ କରିବା ପରେ ବି ବାଲି ଚୋରା ଚାଲାଣ ଥମୁନଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବୈତରଣୀ ନଦୀରେ ଆନନ୍ଦପୁର, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତ ନିକଟର ବିଭିନ୍ନ ଘାଟ ନଦୀରୁ ବାଲି ଚାଲାଣ ହେଉଛି । ତେବେ ଏହି ବାଲି ଚୋରାଚାଲାଣକୁ ରୋକିବା ପାଇଁ ଉପ ଜିଲ୍ଲାପାଳ, ତହସିଲଦାର, ଫରେଷ୍ଟର, ଥାନା, ଏସଡିପିଓ ଓ ଖଣି ବିଭାଗ କମିଟିରେ ରହିବେ ଏବଂ ସେମାନେ ଏହି ବେଆଇନି ବାଲି ଚୋରାଚାଲାଣକୁ ରୋକିବେ  । ହେଲେ ଏହି କମିଟି ହେଲା ପରେ ଉପରୋକ୍ତ କମିଟିର କାର୍ଯ୍ୟକର୍ତ୍ତା କେହିବି ଚୋରା ବାଲି ଉପରେ ନଜର ଦେଉ ନାହାଁନ୍ତି  । ଫଳରେ ବାଲି ମାଫିଆମାନେ ସେହି ସୁଯୋଗରେ ଅହରହ ବାଲି ଉଠାଇ ବିକ୍ରି କରିଚାଲିଛନ୍ତି । ଏପଟେ ବାଲିଘାଟ ନିଲାମ ପାଇଁ ଖଣି ବିଭାଗ ର ଆନ୍ତରିକ ଅଭାବ ଯୋଗୁଁ ବାଲି ମାଫିଆ ମାନେ ବାଲି ଚୋରୀ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହୋଇଛି  ।