ଶୈବ ପୀଠରେ ସଫେଇ 

 ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ୱଚ୍ଛତା ଅଭିଯାନ ନେଇ ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ମଲିକେଶ୍ୱର ଶୈବପୀଠରେ ଜିଲ୍ଲା ପ୍ରଶାସନ ଦ୍ୱାରା ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଇଛି  । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ, ଗୃହ ଏବଂ ନଗର ଉନ୍ନୟନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ୱଚ୍ଛତା ଅଭିଯାନ କରାଯାଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିଦେ୍ର୍ଦଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଶୈବ ପୀଠ ଠାରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଦେଶର ଦାୟିତ୍ୱବାନ ନାଗରିକ ଭାବେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍ । ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକ ସବୁ ଦିଗରୁ ବିଶେଷ ଗୁରୁତ୍ୱ ବହନ କରେ । ତେଣୁ ପର୍ଯ୍ୟଟନ ସ୍ଥଳୀ ଭାବେ ହେଉ କିମ୍ବା ଗୌରବମୟ ଇତିହାସ ପାଇଁ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି ।  ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ରୂପେ  ଗୌରବମୟ କୀର୍ତ୍ତିରାଜିର ମୁକସାକ୍ଷୀ ସାଜିଥିବା ଐତିହ୍ୟ ସ୍ଥଳୀ ଗୁଡିକୁ ସ୍ୱଚ୍ଛ କରି ରଖିବା ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ମଲିକେଶ୍ୱର ଶୈବ ପୀଠ ଉପରକୁ ଯାଇ ମନ୍ଦିର ପରିବେଶର ସଫେଇ କରିଛନ୍ତି । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି ସଫେଇ କାର୍ଯ୍ୟକ୍ରମରେ ପୌର ପରିଷଦର ସମସ୍ତ କର୍ମଚାରୀ ଓ ସଫେଇ କର୍ମଚାରୀ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ଅନୁରୂପ ଭାବେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ମଧ୍ୟ ବିଭିନ୍ନ ଦେବାଳୟ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।