ବଢୁଛି ଗ୍ରୀଷ୍ମ ପ୍ରକୋପ ଖୋଲୁନି ଜଳଛତ୍ର

 ତାଳଚେର: ଓଡ଼ିଶାର ଉତ୍ତପ୍ତ ସହରଭାବେ ତାଳଚେର ପରିଗଣିତ ହେଉଥିବାବେଳେ ଆଜକୁ ଦୁଇଦିନ ହେବ ପାରଦ ଉପର ମୁହାଁ ହେବାରେ ଲାଗିଛି । ଗତ ସପ୍ତାହରେ ପାଗ କୋହଲା ରହିଥିବାରୁ ଖରା ପ୍ରକୋପ ଏତେଟା ଜଣାପଡୁ ନଥିଲା । କିନ୍ତୁ ଏବେ ଗ୍ରୀଷ୍ମର ପ୍ରଭାବ ଧିରେ ଧିରେ ପ୍ରଖର ହେଉଥିବା ଅନୁମାନ କରାଯାଉଛି । ସରକାରୀ ସ୍ତରରେ ତାପମାତ୍ରା ୪୦ ଓ ବେସରକାରୀ ସ୍ତରରେ ୪୨ ଡିଗ୍ରୀ ରହୁଥିବା କୁହାଯାଉଛି  । ଅଞ୍ଚଳରେ ଧିରେ ଧିରେ ଟାଣ ଖରା ଆରମ୍ଭ ହେଉଥିବାକୁ ନେଇ ଏବେ ଠାରୁ ରାସ୍ତା ଜନଶୂନ୍ୟର ଦୃଶ୍ୟ ଦେଖାଗଲାଣି  । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଓ ପଥଚାରୀ,  ଯାତ୍ରୀ ପ୍ରମୁଖ ମଧ୍ୟାହ୍ଣ ୧୨ଟା ପରେ ଆଉ ଦୃଶ୍ୟମାନ ହେଉନାହାନ୍ତି । ଅନୁମାନ କରାଯାଏ ଏପ୍ରିଲ ମାସରେ ଗ୍ରୀଷ୍ମତାପ ପ୍ରଖର ହେବ । ସର୍ବସାଧାରଣ ଅଂଶୁଘାତରୁ ରକ୍ଷା ପାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉନି କି ଜଳଛତ୍ର ଖୋଲୁନି । ପଶୁଠୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପଥଚାରୀ ବିଶେଷକରି ଗ୍ରୀଷ୍ମ ପ୍ରଭାବରେ ପଡି ପାଣି ପାଇଁ ରାସ୍ତାଘାଟରେ ଡହଳବିକଳ ହେଉଥିବା ଦେଖାଯାଇଛି ।  ଅଞ୍ଚଳରେ ଆଜି ପ୍ରଖର ତାତି ଓ ଗୁଳୁଗୁଳି ଜନିତ ଅସହ୍ୟ ଗରମ ଯୋଗୁଁ ଜନଜୀବନ ଦହଗଞ୍ଜ ହୋଇପଡିଛି  । ତେବେ ଖରା ପ୍ରକୋପରୁ ସର୍ବସାଧାରଣ ରକ୍ଷା ପାଇବା ପାଇଁ ଯଥାଶୀଘ୍ର ସୁବ୍ୟବସ୍ଥା କରାଯାଉ ବୋଲି ଅଞ୍ଚଳବାସୀଙ୍କ ମହଲରେ ମତପ୍ରକାଶ ପାଇଛି  ।