ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା:    ଲକ୍ଷାଧିକ ଭକ୍ତଙ୍କ ସମାଗମ

 ଭବାନୀପାଟଣା  : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲା । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିରକୁ ଯାଇଥିଲା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଥିଲେ । ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡାଇବାର ପରମ୍ପରା ଦେଖିବାକୁ ମିଳିଥିଲା । ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରାର ତାଳେ ତାଳେ ମା'ଙ୍କୁ ପାଛୋଟି ନେଉଥିଲେ ଶ୍ରାଦ୍ଧଳୁ । ଏହି ପ୍ରସିଦ୍ଧ ଛତର ଯାତ୍ରାରେ ମାଣିକେଶ୍ୱରୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ମା’ଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଆସିଥିଲେ । ଜେନାଖାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ମା’ମାଣିକେଶ୍ୱରୀଙ୍କ ପାଖରେ ବଳି ଦିଆଯିବା ଏକ ସ୍ୱତନ୍ତ୍ର ପରମ୍ପରା ରହିଛି  । ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମା’ଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ପରେ ମାନସିକ ଧାରି ମାନେ ବୋଦା, କୁକୁଡ଼ା ଆଦି ବଳି ଦେବା  ଆରମ୍ଭ କରି ଦେଇଥିଲେ ।