ବଢୁଛି ଲୁଟ୍ପାଟ ସୁରକ୍ଷା ଦାବି 

 ଢେଙ୍କାନାଳ : ଗତ କିଛି ଦିନ ହେବ ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳରେ ଚୋରି ଲୁଟପାଟ ବଢିଚାଲିଛି । ଲୁଟେରାମାନେ ବିଶେଷତଃ ଘରେ କେହି ନଥିବା କିମ୍ୱା ଘରେ ବୟସ୍କ ଲୋକ ରହୁଥିବା ଦେଖି ଗ୍ରୀଲ୍ ତାଡି ଲୁଟ୍ପାଟ କରୁଛନ୍ତି । ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେହିଭଳି ଭାବେ ଗତ ୧୫ ଦିନ ମଧ୍ୟରେ ମହିଷାପାଟ ଅଞ୍ଚଳରେ ୬ଟି ଘରେ ଚୋରି ହୋଇସାରିଛି । ମହିଷାପାଟ ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଘରୁ ବାରମ୍ବାର ଚୋରି ହୋଇଥିବାରୁ ଅଞ୍ଚଳବାସିନ୍ଦା ରହିବା ପାଇଁ ସୁରକ୍ଷିତ ମଣୁନାହାଁନ୍ତି । ଏଥିପାଇଁ ମହିଷାପାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ନାଗରିକ ଓ କର୍ମକର୍ତ୍ତାମାନେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକ  କାର୍ଯ୍ୟାଳୟରେ ଏସ୍ପିଙ୍କୁ ଦେଖା କରି ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିବା ସହ ଟାଉନ ଥାନା ଅଧିକାରୀଙ୍କୁ ଭେଟି ସୁରକ୍ଷା ଦାବି ସହ ଚୋରମାନଙ୍କୁ ତୁରନ୍ତ ଧରିବା ପାଇଁ ଦାବି କରିଛନ୍ତି । ଏସ୍ପି ମହିଷାପାଟ ଅଞ୍ଚଳରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ଏବଂ ପୁଲିସ ପେଟ୍ରୋଲିଂର ବ୍ୟବସ୍ଥା କଡ଼ାକଡି କରିବା ପାଇଁ  ପ୍ରତିଶ୍ରୁତି ଦେଇଛନ୍ତି ।