ବାଳକାଟି, ଭିଙ୍ଗାପୁର ଓ ସରକଣା ଉପସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ବାଲିଅନ୍ତା : ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକର ବହୁ ପୁରାତନ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚଳିତ ୨୦୨୪ /୨୫ ଆର୍ଥିକ ବର୍ଷରେ କାୟାକଳ୍ପ ପୁରସ୍କାର ମିଳିବା ନିମନ୍ତେ ଘୋଷଣା କରାଯାଇଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଭୁକ୍ତ ଭିଙ୍ଗାରପୁର ଓ ସରକଣା ଉପ-ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ କାୟାକଳ୍ପ ପୁରସ୍କାର ମିଳିବ ବୋଲି ଆଜି ବିଧିବଦ୍ଧ ଘୋଷଣା କରାଯାଇଛି  । ଖବର ପ୍ରଚାର ହେବାପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି  । ସେହିପରି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ତନ୍ମୟ ତ୍ରିପାଠୀ ପରିଦର୍ଶନରେ ଆସିଥିବା କାୟାକଳ୍ପ କର୍ମଚାରୀ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି  । ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଏହି ପୁରସ୍କାର ପ୍ରଦାନ କରାଯାଇଛି  । ଏହି କାୟାକଳ୍ପ ପୁରସ୍କାର ବାବଦକୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଟ୍ରଫି ଓ ମାନପତ୍ର ସହ ୧ ଲକ୍ଷ ଓ ଭିଙ୍ଗାରପୁର ଓ ସରକଣା ଉପ-ସ୍ୱାସ୍ଥ୍ୟକେନ୍ଦ୍ରକୁ ଟ୍ରଫି, ମାନପତ୍ର ସହ ୫୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ  । ଏହି ଅର୍ଥ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟରେ ବ୍ୟୟ କରାଯିବ  । ପୂର୍ବରୁ ୨୦୨୧/୨୨ ଆର୍ଥିକ ବର୍ଷରେ ମଧ୍ୟ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହି ପୁରସ୍କାର ମିଳିଥିଲା  । ପ୍ରକାଶଥାଉକି ଗତ ଜାନୁୟାରୀ ୨୭ ତାରିଖରେ ଉପରୋକ୍ତ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପର ଏକ ୩ ଜଣିଆ ଦଳ ପରିଦର୍ଶନରେ ଆସିଥିଲେ  । ସେମାନେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ବିଭିନ୍ନ ବିଭାଗର ବହିର୍ବିଭାଗ ଦେଖିବା ସହ ଅସ୍ତ୍ରୋପଚାର କକ୍ଷ, ପ୍ରସବ କକ୍ଷ, ପ୍ୟାଥୋଲାବ, ବିଭିନ୍ନ ୱାର୍ଡ, ଇଞ୍ଜେକ୍ସନ କକ୍ଷ ପରିଦର୍ଶନ କରିବା ସହ ନିରାମୟରେ ଔଷଧ ବିତରଣ କେନ୍ଦ୍ର ଓ ଷ୍ଟକ ରୁମକୁ ବୁଲି ଦେଖିଥିଲେ  । ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ମିଳିବା ସହ ଔଷଧପତ୍ରର ଉତ୍ତମ ସାଜସଜା ଦେଖି ଖୁସିବ୍ୟକ୍ତ କରିଥିଲେ  । ସେହିପରି ନର୍ସିଂ ଅଫିସରମାନଙ୍କ ରୋଗୀସେବା, ପ୍ୟାଥୋଲ୍ୟାବ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅସ୍ତ୍ରୋପଚାର ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସିତ କରିଥିଲେ  । ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ତଦନ୍ତ କରିବା ସହ ବିଭିନ୍ନ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ  ।