ବର୍ଷାରେ ବେହାଲ ଅଞ୍ଚଳ; ଘରେ ପଶିଲା ପାଣି
ଆନନ୍ଦପୁର : କିଛିଦିନର ବ୍ୟବଧାନ ପରେ ଶୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆନନ୍ଦପୁରରେ ଲାଗିରହିଛି ବର୍ଷା । ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି । ଏହାର ପ୍ରଭାବରେ କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି ଏହି ଆଳରେ ବିଦୁ୍ୟତ୍ ବିଭାଗ ମଧ୍ୟ ତାର ପରିବାର ପଣିଆ ଦେଖାଇ ଲୁଚକାଳୀ ଖେଳ ଆରମ୍ଭ କରିଦେଇଥିଲା । ତେବେ ଦିନ ବଢିବା ସହିତ ବର୍ଷାର ପରିମାଣ ବଢିଥିଲା । ବର୍ଷାର ପରିମାଣ ଏପରି ଭାବରେ ବଢିଥିଲା ଯେ, ସଖାଳ ୮ ଟା ମଧ୍ୟରେ ପୌର ପରିଷଦର ବିଭିନ୍ନ ସାହି ବସ୍ତିରେ ଲୋକଙ୍କ ଘରେ ପାଣି ପଶିଥିଲା । ହାଟଡିହି ବ୍ଲକରେ ସକାଳ ସୁଦ୍ଧା ୨୩୫ ମିଲିମିଟର ବର୍ଷା ହୋଇଥିବା ବେଳେ, ଘସିପୁରା ବ୍ଲକରେ ୧୩୦ ମିଲିମିଟର ବର୍ଷା ଏବଂ ଆନନ୍ଦପୁର ବ୍ଲକରେ ୧୦୩ ମିଲିମିଟର ବର୍ଷାର ରେକର୍ଡ କରାଯାଇଥିଲା । ଫକୀରପୁର ବିଭିନ୍ନ ସାହି ଏବଂ ୧୪ ନମ୍ବର ୱାର୍ଡର ବିଭିନ୍ନ ସାହିରେ ଥିବା ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଥିଲା । ଯଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡିଥିଲା । ପାଣି ଏପରି ଭାବେ ପଶିଥିଲା ଯେ, ବିଭିନ୍ନ ଘରେ ଆଣ୍ଠୁଏ ପାଣି ସହିତ ଖଟ ଏବଂ ଆସବା ପତ୍ର ବୁଡି ଯାଇଛି । ଏଭଳି ସମସ୍ୟା ଏବେକାର ନୁହେଁ ବରଂ ପ୍ରତେକ ବର୍ଷ ଘଟୁଥିବା ୱାର୍ଡବାସୀ କହୁଥିବା ବେଳେ, ପୌର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।