ସୁକିନ୍ଦା ରାଜନୀତିରେ ଭାଇ ମାନିଆର ବହୁଳ ପ୍ରସାର
ଯାଜପୁର/ଯଖପୁରା : ରାଜ୍ୟ ରାଜନୀତିରେ ଯାଜପୁର ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯାଜପୁର ଜିଲ୍ଲାର ସମସ୍ତ ୭ଗୋଟି ନିର୍ବାଚନ ମଣ୍ଡଳୀ ଉପରେ ରାଜ୍ୟବାସୀଙ୍କ ନଜର ସର୍ବଦା ରହିଥିବାର ଦେଖିବାକୁ ମିଳେ । ଏହାର ବି ଅନେକ କାରଣ ରହିଛି । ଅତୀତରେ ଯାଜପୁର ଜିଲାରାଜ୍ୟ ରାଜନୀତିକୁ ଅନେକ ତୁଙ୍ଗନେତା ଦେଇଛି । ସେ କଂଗ୍ରେସ ହେଉ ଅଥବା ବିଜେଡି ଅବା ବିଜେପି । ସମସ୍ତ ଦଳର ଅନେକ ପୁରୁଖା ନେତା ଯାଜପୁରରୁ ରାଜ୍ୟ ରାଜନୀତିକୁ ପ୍ରତିନିଧିତ୍ୱ କରିଥାନ୍ତି । ଜିଲ୍ଲାରେ ସମସ୍ତ ୭ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଯାହା ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଥାଏ । ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ଆମେ ଯଦି ନିରିଖି ଦେଖିବାକୁ ତେବେ ଅନେକ ଘଟଣା ନଜରକୁ ଆସିଥାଏ । ଏକଦା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ପ୍ରାକ୍ତନମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଦବଦବା ଦେଖିବାକୁ ମିଳିଥିଲା । କେବଳ ସୁକିନ୍ଦା କାହିଁକି ପୁରା ରାଜ୍ୟରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଗୁରୁତ୍ୱ ବହନ କରୁଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ ଠାରୁ ଆରମ୍ଭ କରି ପରବର୍ତୀ ସମୟରେ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯାଇଥିଲା । ମାତ୍ର ପରେ ପରେ ରାଜ୍ୟ ରାଜନୀତିରେ ଅନେକ ପରିବର୍ତନ ହୋଇଥିଲା । ଫଳରେ ପରିବାରବାଦ ରାଜନୀତିକୁ ପଛରେ ପକାଇ ରାଜ୍ୟକୁ ନୂତନ ପିଢ଼ିଙ୍କୁ ବାଟ ଛାଡ଼ିବା ପାଇଁ ପ୍ରୟାସ ହୁଏ । ଫଳରେ ରାଜ୍ୟ ରାଜନୀତିରେ ଅନେକ ପିତା ପୁତ୍ରଙ୍କ ରାଜନୀତିରେ ଭଟା ପଡ଼ିଥିଲା ।
ସେହି କ୍ରମରେ ସୁକିନ୍ଦାରୁ ପ୍ରଫୁଲ୍ଲଙ୍କ ଅବସାନ ଘଟି ତାଙ୍କ ପୁତ୍ର ପ୍ରୀତିରଞ୍ଜନ ବା ଡାନିଙ୍କ ଆବିର୍ଭାବ ହୁଏ । ତାରି ଭିତରେ ପ୍ରୀତିରଞ୍ଜନ ମଧ୍ୟ ରାଜ୍ୟ ରାଜନୀତିରେ ପ୍ରବେଶ କରିସାରିଥିଲେ । କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ସାରିଥିଲେ । ପରେ ପରେ କୋରେଇ ନିର୍ବାଚନ ମଣ୍ଡଳୀ ଛାଡ଼ି ବାପା ପ୍ରଫୁଲ୍ଲଙ୍କ ଗଡ଼ କୁହାଯାଉଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଏକ ଦଶନ୍ଧି ଧରି ବିଧାୟକ ହୋଇଛନ୍ତି । ତାରି ଭିତରେ ସେ ପୁରୁଖା ନେତା ତଥା ପିତାଙ୍କ ଅତି ନିକଟତର କର୍ମୀଙ୍କୁ ଅଣଦେଖା କରି ଯୁବ ପୀଢ଼ି ଛାତ୍ରଛାତ୍ରୀଙ୍କୁ ସୁକିନ୍ଦା ରାଜନୀତିରେ ବେଶ୍ ଗୁରୁତ୍ୱ ଦେଉଥିବାର ଦେଖିବାକୁ ମିଳିଥିଲା । ସମ୍ଭବତ ଏହି କାରଣରୁ ଯୁବକ ଓ ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରୀତିରଞ୍ଜନ ଘଡ଼ାଇ ‘ଡାନି ଭାଇ’ ନାମରେ ପରିଚିତ ହୁଅନ୍ତି । ବୃଦ୍ଧ ଠାରୁ ଆରମ୍ଭ କରି ଟୋକା ପର୍ଯ୍ୟନ୍ତ ସମସ୍ତେ ‘ଡାନି ଭାଇ’ ‘ଡାନି ଭାଇ’ ବୋଲି ସମ୍ବୋଧନ କରନ୍ତି । ଏହି କାରଣରୁ ସୁକିନ୍ଦା ରାଜନୀତିରେ ‘ଡାନି ଭାଇ’ ଏକ ପରିଚିତ ନାମ ପାଲଟି ଯାଏ । ଯୁବକ ମାନଙ୍କ ପାଖରେ ଡାନି ଭାଇ ନାମଟି ଆଦୃତ ହୋଇଗଲା । ଏହି ନାମକୁ ନେଇ ମଧ୍ୟ ଚଳିତ ନିର୍ବାଚନ ହେଉ କି ନିର୍ବାଚନ ପୂର୍ବରୁ କି ପରେ ପରେ ଡାନି ଭାଇ ନାମରେ ଗୀତ ଶୁଣିବାକୁ ମିଳିଥିଲା । ଏମିତି କି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ପୋଷ୍ଟ ଡାନି ଭାଇ ନାମରେ ଦେଖିବାକୁ ମିଳୁଛି । ତାଙ୍କ ଜନ୍ମ ଦିନଠାରୁ ଆରମ୍ଭ କରି ସାମାଜିକ କାର୍ଯ୍ୟରେ ଯୋଗ ଦେବା ସମୟରେ ଡାନି ଭାଇ-ଡ଼ାନି ଭାଇ ଶୁଣିବାକୁ ମିଳେ । ହେଲେ ବିଜେଡ଼ି କ୍ଷମତାରୁ ଯିବା ଏବଂ ବିଜେପି କ୍ଷମତାକୁ ଆସିବା ପରେ ଆଉ ଜଣେ ଭାଇଙ୍କ ନାଁ ସୁକିନ୍ଦାରେ ଗୁଞ୍ଜରିତ ହେଉଛି । ନାଁଟି ହେଉଛି ‘ଭିକି ଭାଇ’ । ‘ଡ଼ାନି ଭାଇ’ ସାଙ୍ଗକୁ ‘ଭିକି ଭାଇ’ନାମର କ୍ରେଜ୍ ଯୁବପିଢ଼ିଙ୍କ ନିକଟରେ ଦେଖିବାକୁ ମିଳୁଛି । ଭିକି ଭାଇ ବର୍ତମାନର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପୁଅ ସବ୍ୟସାଚୀ ବଳସାମନ୍ତ । ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଏକ ମାତ୍ର ପୁଅ ସବ୍ୟସାଚୀ ବଳସାମନ୍ତ । ଯିଏକି ପିତାଙ୍କ ଗଡକୁ ଜଗିଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଅନେକ କାର୍ଯ୍ୟକ୍ରମରେ ଭିକି ଭାଇଙ୍କୁ ଦେଖିବାକୁ ମିଳୁଛି । ଗଣେଶ ପୂଜା ଠାରୁ ଆରମ୍ଭ କରି ଅନେକ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ‘ଭିକି ଭାଇ’ ନାମରେ ଶୁଣିବାକୁ ମିଳୁଛି । ଯେଉଁ ନାମକୁ ଯୁବ ପିଢ଼ି ଗ୍ରହଣ କରି ନେଇଛନ୍ତି । ଯେହେତୁ ସେ ଜଣେ ଯୁବକ ତେଣୁ ଅନେକ ତାଙ୍କ ପାର୍ଟି କର୍ମୀ ତାଙ୍କୁ ‘ଭିକି ଭାଇ’ ବୋଲି ସମ୍ବୋଧନ କରୁଛନ୍ତି । ନିକଟରେ ତାଙ୍କ ଜନ୍ମ ଦିନ ଯାଇଛି । ସାମାଜିକ ଗଣମାଧ୍ୟମରେ ଅନେକ ଯୁବ କର୍ମୀ ତାଙ୍କୁ ଭିକି ଭାଇ ନାମରେ ଶୁଭକାମନା ଜଣାଇଥିଲେ । ଯାହା ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିଲା । ଅନେକ ଚା ଖଟିରେ ଗୋଟିଏ କଥା ଶୁଣିବାକୁ ମିଳୁଛି ‘ଭିକି ଭାଇ’ ଆଉ ‘ଭିକି ଭାଇ’ । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏବେ ଭିକି ଭାଇ ମାନିଆ ବା କ୍ରେଜ୍ ଚାଲିଛି କହିଲେ ଭୁଲ ହେବନି । କଥା ପଡ଼ିଛି ଡାନି ଭାଇ ଆଉ ଭିକି ଭାଇ । ଦୁଇଟି ନାମକୁ ନେଇ ଚର୍ଚ୍ଚା । କଥାକୁ ଟିକେ ନିରିଖି ଦେଖିଲେ ଅନେକ କଥା ମନକୁ ଆସୁଛି । ଡାନି ଭାଇ ରାଜନୀତିରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଜ କରୁଥିବା ବେଳେ ଭିକି ଭାଇ କଣ ଆଗାମୀ ଦିନ ପାଇଁ ସୁକିନ୍ଦାର ଭବିଷ୍ୟତ? ପରବର୍ତୀ ମୁହୂର୍ତରେ କଣ ସୁକିନ୍ଦା ରାଜନୀତିରେ ଭିକି ଭାଇ ପ୍ରତ୍ୟକ୍ଷ ଭାବେ ପ୍ରବେଶ କରିବେ ନା କେବଳ ବାପାଙ୍କ ଗଡ଼ ଜଗିବେ? ଏହା ଆଗାମୀ ଦିନରେ ସୁକିନ୍ଦାବାସୀ ନିଶ୍ଚିତ ଭାବେ ନିଷ୍ପତି ନେବେ ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ ।