ବିବାଦ ସୃଷ୍ଟି କରୁଛି ନେପାଳ
କିଛି ମାସ ତଳେ ଚୀନ୍ର ପ୍ରରୋଚନାରେ ଭାରତ ସୀମାକୁ ଲାଗି ରହିଥିବା କେତେକ ସ୍ଥାନରେ ନେପାଳ ବିନା କାରଣରେ ଉତ୍ତେଜନା ସୃଷ୍ଟି କରିଥିଲା । ବିଶେଷ କରି ଭାରତର ଲିପୁଲେଖ, କାଲାପାଣି ଏବଂ ଲିମ୍ପିଆଧୂର ଅଞ୍ଚଳକୁ ନେପାଳ ନିଜ ଅଞ୍ଚଳ ବୋଲି ଦାବି କରୁଥିଲା । ଏହାକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କ ତିକ୍ତ ହେବାକୁ ଯାଉଥିଲା । ଏବେ ଏଇ ଅଳ୍ପଦିନ ତଳେ ନେପାଳର ଶହେ ଟଙ୍କିଆ ନୋଟ୍ରେ ଭାରତର ଏହି ତିନି ଅଞ୍ଚଳକୁ ମିଶାଇ ଦେଶର ମାନଚ୍ଚିତ୍ରକୁ ସ୍ଥାନ ଦିଆଯାଇଛି । ଏହି ତିନି ଅଞ୍ଚଳକୁ ନେଇ ୩୪ ବର୍ଷ ହେଲା ଭାରତ ଓ ନେପାଳ ମଧ୍ୟରେ ବିବାଦ ଲାଗି ରହିଛି । ପୁଷ୍ପକମଲ ଦହଲ ନେପାଳରେ ପ୍ରଧାନମନ୍ତ୍ରୀ ହେବା ପର ଠାରୁ ଏହି ବିବାଦ ମଝିରେ ମଝିରେ ମୁଣ୍ଡ ଟେକୁଛି । ନେପାଳ ହେଉଛି ଭାରତ ନିକଟରେ ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର । ନେପାଳର ଅର୍ଥନୀତିକୁ ଚଳାଇବା ଭଳି ନିଜସ୍ୱ ସମ୍ବଳ କିଛି ନାହିଁ । ତେଣୁ ଭାରତ ନେପାଳକୁ ଅଧିକ ପରିମାଣରେ ସହାୟତା ଦେଇ ଦେଶ ଗଠନରେ ସାହାଯ୍ୟ କରିଆସିଛି । ସଡ଼କ ନିର୍ମାଣ ଠାରୁ ଆରମ୍ଭ କରି ରାସନ ସାମଗ୍ରୀର ଯୋଗାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ନେପାଳକୁ ସର୍ବାଧିକ ସହାୟତା ଦେଇଥାଏ । କିନ୍ତୁ ନେପାଳରେ ପୁଷ୍ପକମଲ ଦହଲ ପ୍ରଧାନମନ୍ତ୍ରୀ ହେବା ପରେ ନେପାଳ ଚୀନ୍ ଆଡ଼କୁ ଢ଼ଳିବା ଆରମ୍ଭ କରିଛି । ନେପାଳର କିଛି ଅଂଶକୁ ଚୀନ୍ ନିଜ ଅଞ୍ଚଳ ବୋଲି ଦାବି କରୁଥିଲେ ମଧ୍ୟ ସେ ଦିଗ ପ୍ରତି ଚୀନ୍ ଦୃଷ୍ଟି ନଦେଇ ବରଂ ଚୀନ୍ର ପ୍ରରୋଚନାରେ ଭାରତ ସହିତ ବିବାଦ ଆରମ୍ଭ କରିଛି । ଆଉ ଅନ୍ୟପକ୍ଷରେ ଚୀନ୍ ଯେତିକି ସହାୟତା ଦେବ ବୋଲି ନେପାଳକୁ କହୁଛି, ବାସ୍ତବ ପକ୍ଷେ ସେଭଳି କିଛି ସହାୟତା ଦେଇନାହିଁ । କେବଳ ଭାରତର ଏକ ମିତ୍ର ରାଷ୍ଟ୍ରକୁ ନିଜ କବଜାରେ ରଖି ଭାରତ ସହିତ ଶତ୍ରୁତା ସୃଷ୍ଟି କରାଇବା ପାଇଁ ଉଦ୍ୟମ କରିଆସୁଛି ।
ହିମାଳୟର ମଝିରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବରେ ନେପାଳ ଏକୁଟିଆ ଚଳିବା ସମ୍ଭବ ନୁହେଁ । ଏଥିପାଇଁ ଭାରତ କିମ୍ବା ଚୀନ୍ ଉପରେ ସବୁବେଳେ ନିର୍ଭର କରିଆସିଛି । ଅନ୍ୟ କୌଣସି ଏକ ରାଷ୍ଟ୍ର ସହିତ ନେପାଳର ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରେ ସତ, ହେଲେ ଏହାର ଅର୍ଥ ନୁହେଁ ଯେ ନେପାଳ ଭାରତ ସହିତ ଗୋଟିଏ ପକ୍ଷରେ ବନ୍ଧୁତା ଏବଂ ଅନ୍ୟପକ୍ଷରେ ଶତ୍ରୁତା ଆଚରଣ ପ୍ରଦର୍ଶନ କରିବ । ଏଭଳି ଆଚରଣ ନେପାଳ ପାଇଁ କ୍ଷତିକାରୀ ସାବ୍ୟସ୍ତ ହେବ । ନିଜର ଅର୍ଥବ୍ୟବସ୍ଥା ଏବଂ ଜଳସୀମା ନଥିବା ଏକ ରାଷ୍ଟ୍ର ପଡ଼ୋଶୀ ରାଷ୍ଟ୍ର ସହିତ ଶତ୍ରୁତା ଆଚରଣ କରିଲେ ଶେଷରେ ତାହା ସେହି ରାଷ୍ଟ୍ର ପ୍ରତି ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେବ । ତେଣୁ ନେପାଳ ଏକଥା ହୃଦୟଙ୍ଗମ କରିବା ଉଚିତ୍ ଯେ ସର୍ବାଧିକ ସହାୟତା ପାଉଥିବା ଏକ ବଡ ରାଷ୍ଟ୍ର ସହିତ ବିନା କାରଣରେ ବିବାଦ ସୃଷ୍ଟି କରିଲେ ସେଠାକାର ଜନସାଧାରଣ ହିଁ ପ୍ରଥମେ ଅସୁବିଧାର ସମ୍ମୁଖୀନ ହେବେ । କୌଣସି ଏକ କରେନ୍ସି ନୋଟ୍ରେ ରାଷ୍ଟ୍ରର ମାନଚ୍ଚିତ୍ରକୁ ଦର୍ଶାଇ ଦେଲେ ଅନ୍ୟ ରାଷ୍ଟ୍ର୍ରର ଅଞ୍ଚଳ ତାର ନିଜର ହୋଇଯିବ ନାହିଁ । ସେ ଦୃଷ୍ଟିରୁ ଅନ୍ୟ କାହାରି ପ୍ରରୋଚନାରେ ନେପାଳ, ଭାରତ ସହିତ ବିବାଦ ଆରମ୍ଭ କରିବା ଉଚିତ୍ ନୁହେଁ ।
ଗୋଟିଏ ରାଷ୍ଟ୍ରର ପରିଚାଳନା ଅନ୍ୟ କୌଣସି ଏକ ରାଷ୍ଟ୍ର୍ରର ପ୍ରରୋଚନାରେ ହୁଏନାହିଁ । ନିଜ ରାଷ୍ଟ୍ରର ପରିଚାଳନା ନିମିତ୍ତ ନିଜର ସ୍ୱତନ୍ତ୍ର ନୀତି ରହିବା ଆବଶ୍ୟକ । ବିଭିନ୍ନ ସମୟରେ ବିଭିନ୍ନ ଦଳ ରାଜନୀତିକ କ୍ଷମତାକୁ ଆସିବେ । ଏହା ଏକ ରାଜନୀତିକ ପ୍ରକି୍ରୟା । କିନ୍ତୁ ଏହି ରାଜନୀତିକ ପ୍ରକି୍ରୟା ଭିତରେ ବିନା କାରଣରେ ଅନ୍ୟ ରାଷ୍ଟ୍ର କିମ୍ବା ମିତ୍ର ରାଷ୍ଟ୍ର ସହିତ ସମ୍ପର୍କକୁ ତିକ୍ତ କରିବା ପାଇଁ ନେପାଳ ଆଉ ଚେଷ୍ଟା କରିବ ନାହିଁ ବୋଲି ଆଶା କରାଯାଏ ।