ନିମ୍ନମାନର ଛତୁଆ ଯୋଗାଣ: ଖଜୁରୀରେ ପୋକ, ଫଟୋ ଭାଇରାଲ
ରାଜନଗର : ରାଜନଗର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଅନିୟମିତତା ହେଉଥିବା ଅଭିଯୋଗ ପୂର୍ବରୁ ହୋଇଆସୁଥିଲା । ଏହି ବ୍ଲକର କେନ୍ଦ୍ରଗୁଡିକୁ ନିମ୍ନମାନର ଛତୁଆ ଯୋଗାଣ ଓ ଆଗେ ବିଲ ପରେ ଛତୁଆ ବଟଂନ ଭଳି ବିବାଦ ଲାଗି ରହିଛି । ଏବେ ଶୁଖିଲା ଖାଦ୍ୟ(ଟିଏଚଆର)ରେ ବଂଟନ ହେଉଥିବା ଖଜୁରୀରେ ପୋକ ବାହାରିବା ଫଟୋ ଭାଇରାଲ ହେବାରୁ ଲାଗିଛି । ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏହି ଫଟୋଟି ଏହି ବ୍ଲକ ରଙ୍ଗଣୀ ପଚାଂୟତ ପଟ୍ଟାପାରିଆ ଗ୍ରାମର ଏସଟି ହାବିଟେସନ ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଏହି କେନ୍ଦ୍ରର ହିତାଧିକାରୀ ମମତା ଦାସ ଖଜୁରୀ ନେଇଥିଲେ । ଘରେ ନେଇ ଜରି ଖୋଲିବା ବେଳକୁ ସେଥିରେ ପୋକ ଦେଖିବାକୁ ପାଇଥିଲେ । ଆଖପାଖର ଲୋକମାନେ ଦେଖି ଫଟୋ ଉଠାଇ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ । ଏନେଇ ଅଙ୍ଗନୱାଡି କର୍ମୀ ମମତା ପଚାରିବାରୁ ଫେବୃୟାରୀ ଓ ମାଚ୍ଚ ର୍ମାସର ଛତୁଆ ଓ ଅନ୍ୟାନ୍ୟ ସାମଗ୍ରୀ ଅପ୍ରେଲ ମାସରେ ମିଳିଲା । ମୁଁ ବାଟିଂ ଦେଲି ବୋଲି ତାଙ୍କୁ କହିଥିଲେ । ଏହି କେନ୍ଦ୍ର ଅଧିନରେ ଗର୍ଭବତୀ ମହିଳା ୧୦ଜଣ, ପ୍ରସୂତୀ ମହିଳା ୧୨ଜଣ, ୩ରୁ ୬ବର୍ଷ ଶିଶୁ ୩୮ଜଣ ଓ କିଶୋରୀ ବାଳିକା ୪୮ଜଣ ଅଛନ୍ତି । ଏସଂପର୍କରେ ରାଜନଗର ସିଡିପିଓ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ସିଡିପିଓ ଲକ୍ଷ୍ମୀମଣି ସିଂଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି । ଅପରପକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇନଥିଲେ । ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଥାଉକି, ରାଜନଗର ବ୍ଲକରେ ୨୭୪ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଆଳି ବ୍ଲକ ବେଲାରୀର ସ୍ୱୟଂ ସହାୟକ ଗୋଷ୍ଠୀ ୮୩ଟି କେନ୍ଦ୍ରକୁ ଛତୁଆ ଯୋଗାଉଥିବା ବେଳେ ୧୪୯ଟି କେନ୍ଦ୍ରକୁ ମୁଢି ଓ ଭଜାଶୋଲା ଯୋଗାଣ କରୁଛି । ସେହିପରି ମହାକାଳପଡା ବ୍ଲକ ବଉଳପଡାର ଶ୍ରୀଶ୍ରୀ ପୁରୁଷୋତମ ସ୍ୱୟଂ ସହାୟକ ଗୋଷ୍ଠୀ ୧୯୧ଟି କେନ୍ଦ୍ରକୁ ଛତୁଆ ଯୋଗାଉଥିବା ବେଳେ ୧୨୫ଟି କେନ୍ଦ୍ରକୁ ମୁଢି ଶୋଲା ଯୋଗାଣ କରୁଛି । ଖଜୁରୀ ପ୍ୟାକେଟରେ ପୋକ ବାହାରିବା ଘଟଣା ଯାହାକି ଭାଇରାଲ ହେବାରେ ଲାଗିଛି ଏହାକୁ ଆଳି ଅଂଚଳ ବେଲାରୀର ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗାଣ କରିଥିବା ଜଣାପଡିଛି ।