ବିନା ପ୍ରସ୍ତୁତି ବୈଠକରେ ରଥଯାତ୍ରା
ନବରଙ୍ଗପୁର : ନବରଙ୍ଗପୁର ସହରର ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ପ୍ରସ୍ତୁତି ବୈଠକରେ ହେବାକୁ ଯାଉଛି । ଦେବୋତ୍ତର କମିଟି ଆନୁକୂଲ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିବର୍ଷ ଜନସାଧାରଣ ଓ ବିଭିନ୍ନ ବିଭାଗକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଥାଏ । ତେବେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ପ୍ରସ୍ତୁତି ବୈଠକ ନ ହେବା ଘଟଣା ଜନସାଧାରଣଙ୍କୁ ଚକିତ କରିଛି । ରଥଯାତ୍ରା ସୁରୁଖୁରୁରେ ପରିଚାଳନା ପାଇଁ ଜନସାଧାରଣ ଏବଂ ବିଭିନ୍ନ ବିଭାଗର ସହଯୋଗ ରହିବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଭାଗରୁ ଆରମ୍ଭ କରି ଅଗ୍ନିଶମ, ପୂର୍ତ୍ତ ବିଭାଗ, ବନ ବିଭାଗ, ବନ ନିଗମ, ପୁଲିସ, ବିଦୁ୍ୟତ୍ ବିଭାଗ, ପୌରପାଳିକା ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ନେଇ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ ହୁଏ । ବୈଠକରେ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରି ତାର ଅନୁପାଳନ କରାଯାଇଥାଏ । ଯେମିତିକି ଡାହୁକ ନିଯୁକ୍ତି, ଶୁଖିଲା ଭୋଗ ଓ ଅନ୍ନଭୋଗ ବିକ୍ରି କରିବାକୁ ଦାୟିତ୍ୱ ଅର୍ପଣ, ଭୋଗର ମୂଲ୍ୟ ନିର୍ଦ୍ଧାରଣ, ଆଇନ ଶୃଙ୍ଖଳା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ, ପୁଲିସ କଣ୍ଟ୍ରୋଲ ରୁମ୍ ସ୍ଥାପନ, ଯାତାୟାତ ପାଇଁ ଡାଇଭର୍ସନ ରାସ୍ତା, ରଥର ଗତି ନିୟନ୍ତ୍ରଣ ପାଇଁ ବ୍ରେକରମାନଙ୍କ ତାଲିକା ପ୍ରସ୍ତୁତି, ସର୍ବସାଧାରଣଙ୍କ ସୂଚନା ପାଇଁ ଯାତ୍ରାର ସମୟ ନିର୍ଘଣ୍ଟ ତାଲିକା ନିଷ୍ପତ୍ତି କରାଯାଇଥାଏ । ଏପରିସ୍ଥଳେ ଚଳିତ ବର୍ଷ ବିନା ପ୍ରସ୍ତୁତିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ଏଥିପାଇଁ ଆବଶ୍ୟକ ପଡୁଥିବା କାଠ ଯୋଗାଡ଼, ରଥକାଠ ଅନୁକୂଳ ହେବା ସହ ସ୍ନାନଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଆଉ ୫ଦିନ ପରେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବ ବୋଲି କହିଛନ୍ତି ଦେବୋତ୍ତର ଅଧିକାରୀ ତଥା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ।