ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତିଭବନ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ୨୦୨୫ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଏଲ୍ଡିଏମ୍ ମନୋଜ କୁମାର ପ୍ରଧାନି, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ମାନସ ରଂଜନ ବେହେରା, ମୃର୍ତିକା ସଂରକ୍ଷଣ ବିଭାଗର ସହକାରୀ ନିଦେ୍ର୍ଦଶକ ଅଶୋକ କୁମାର ସାମଲ, ଏଡିଭିଓ ଡକ୍ଟର ମୃତ୍ୟୁଞ୍ଜୟ ମହାନ୍ତି, ଡକ୍ଟର ସ୍ମୃତିରଂଜନ ରାଉତ, ଡଃ. ନିର୍ମାଲ୍ୟ କୁମାର ପତି ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୨ ମାସ ଘାସ ଚାଷ ପାଇଁ ଏକର ପିଛା ୩୫ ହଜାର ଟଙ୍କା ସହାୟତା, ଘରେ ଘରେ ସବୁଜ ଗୋ ଖାଦ୍ୟ, ଦୁଧିଆଳି ଗାଈକୁ ଦୈନିକ ୧୦ରୁ ୧୫ କେଜି ଘାସ ଖୁଆଇବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୁଏ । କେନ୍ଦ୍ରାପଡା ମେଣ୍ଢିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ମେଣ୍ଢି ଥରକରେ ୩ଟି ଛୁଆ ଦେବାର ଶକ୍ତି ରଖନ୍ତି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାକାଳପଡାର ଯଶୀପୁର ଗ୍ରାମର ଭ୍ରମଦିଆ ବାରିକଙ୍କୁ ଛେଳି ଚାଷ ଦୁହୁରିଆ କଷୋଟି ଗ୍ରାମର ସସ୍ମିତା ନାଥ ଶର୍ମାଙ୍କୁ ଗୋପାଳନ ପାଇଁ ଓ ମାର୍ଶାଘାଇ ହାତିିଆର ସତ୍ୟଜିତ ବେହେରାଙ୍କୁ ବ୍ରଏଲର ଚାଷ ପାଇଁ ସମ୍ମାନୀତ କରାଯାଇଛି । ଏଥିସହିତ ଜିଲ୍ଲାର ଦୁଇଜଣ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ମଣ୍ଡଳ (ଏସ୍ଡିଭିଓ), ବିବେକାନନ୍ଦ ସାହୁ (ଏଡିଭିଓ)ଙ୍କୁ ସମ୍ମାନୀତ କରାଯାଇଛି । କାର୍ଯ୍ୟକ୍ରମରେ ଡକ୍ଟର ପ୍ରଭଞ୍ଜନ ରଞ୍ଜନ କବି ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ନିରୀକ୍ଷକ ଉପସ୍ଥିତ ଥିଲେ ।