ବୃଦ୍ଧଙ୍କୁ ମାଡ ନେଇ ଥାନାରେ ଅଭିଯୋଗ

 ରାଜନଗର : ଜଣେ ବୃଦ୍ଧଙ୍କୁ ମାଡ଼ ହୋଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି । ରାଜନଗର ବ୍ଲକ ସାତଭାୟା ପଞ୍ଚାୟତ ଥଇଥାନସ୍ଥଳୀ ବଗପାଟିଆ ଗ୍ରାମରେ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ମଙ୍ଗଳବାର ଦିନ ଥାନାକୁ ଆସିବାକୁ କହିଥିଲା । ଏଥିସହିତ ଗ୍ରାମର ମୁରବୀ ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଥାନାରେ ପହଂଚିବାକୁ କହିଥିଲେ । ଗୋଟିଏ ପକ୍ଷର ପବିତ୍ର ମଳିକ, ମୁରବୀ କରୁଣାକର ମଳିକ(୬୨)ଙ୍କୁ ସାଙ୍ଗରେ ନେଇ ରାଜନଗର ଥାନାକୁ ଆସିଥିଲେ । ଥାନାରୁ ଖାଇବା ପାଇଁ ହଂସୁଆ ସେତୁ ନିକଟରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରୁ ଖାଇ ଫେରିବା ସମୟରେ ରାଜନଗର ଗ୍ରାମର ମୂଷା ମଳିକ କରୁଣାକରଙ୍କୁ ଠେଙ୍ଗା ଓ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲା । କରୁଣାକରଙ୍କ ପୁଅ ଧରଣୀଧର ମଳିକ ମୂଷା ନାମରେ ଥାନାରେ ଅଭିଯୋଗ କରିଛନ୍ତି । ମୂଷାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।