୧୪ଗ୍ୟାସ୍ ଟାଙ୍କି ଜବତ

କପ୍ତିପଦା:  ବାଲେଶ୍ୱରରେ ଗ୍ୟାସ୍ ଟାଙ୍କି ଗୋଦାମରେ ନିଆଁ ଲାଗି ବ୍ଲାଷ୍ଟ ହେବା ଘଟଣା ପରେ ଆକ୍ସନ ମୋଡରେ ଆସିଛି କପ୍ତିପଦା ଉପଖଣ୍ଡ ପ୍ରଶାସନ । କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ନିଦେ୍ର୍ଦଶରେ ଗତ ମଙ୍ଗଳବାର ଉଦଳାର ବିଭିନ୍ନ ସ୍ଥାନରେ ହୋଇଛି ଚଢାଉ । ବେଆଇନ ଭାବେ ଗ୍ୟାସ୍ ଟାଙ୍କି ଥିବା ଗୋଦାମରେ ଚଢାଉ କରି ୧୪ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ । ଉପଖଣ୍ଡ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀଙ୍କ ସହିତ ୩ ଜଣ ଏମଆଇ ମିଳିତ ଭାବରେ ଉଦଳା ଏନଏସି ୬ ନଂ ୱାର୍ଡର ବଳରାମ ଗିରି ନିଜ ଘରେ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ରଖି ବିକ୍ରି କରୁଥିବା ଜାଣି ଚଢାଉ କରିଥିଲେ ।  ଚଢାଉ ସମୟରେ ବଳରାମ ତାଙ୍କର ଏକ ଚାଳ ଘର ଭିତରେ ଗ୍ୟାସ୍ ଟାଙ୍କି ଗଚ୍ଛିତ ରଖିଥିବା ଯୋଗାଣ ବିଭାଗ ଦେଖିବାକୁ ପାଇଥିଲା । ବଳରାମଙ୍କ ଘରୁ ୧୪ ଗୋଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଥିବା ବେଳେ ତାହା ଭିନ୍ନ ଭିନ୍ନ କମ୍ପାନୀର ରହିଥିଲା । ଉକ୍ତ ସିଲିଣ୍ଡର ଗୁଡିକର କାଗଜପତ୍ର ବଳରାମ ଯୋଗାଣ ବିଭାଗକୁ ଦେଖାଇ ପାରି ନ ଥିଲେ । ଯାହାଫଳରେ ଯୋଗାଣ ବିଭାଗ ଉକ୍ତ ସିଲିଣ୍ଡର ଗୁଡିକୁ ଜବତ କରିଥିଲା । ଜବତ ୧୪ ସିଲିଣ୍ଡର ମଧ୍ୟରେ ୪ ଗୋଟି ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି ହୋଇ ରହିଥିବା ବେଳେ ୧୦ ଗୋଟି ସିଲିଣ୍ଡର ଫାଙ୍କା ରହିଛି । ଏହି ଚଢାଉରେ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ରୀନାରାଣୀ ମହାପାତ୍ର, ଉଦଳା ବ୍ଲକ ଯୋଗାଣ ଅଧିକାରୀ ସୌମ୍ୟାଶ୍ରୀ ରାଉତ, କପ୍ତିପଦାର ଜୟନ୍ତ କୁଣ୍ଡୁ, ଏବଂ ଗୋପବନ୍ଧୁନଗର ଓ ଖୁଂଟାର ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିିଥିଲେ ।  ଏହା ସହିତ ଆଗାମୀ ଦିନରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖି କଳାବଜାରୀ କରୁଥିବା ବେପାରୀଙ୍କ ଉପରେ ଚଢାଉ କରାଯିବ ବୋଲି କହିଛନ୍ତି ସହକାରୀ ଯୋଗାଣ ଅଧିକାରୀ ରୀନରାଣୀ ମହାପାତ୍ର ।