୧୨ ବର୍ଷ ହେଲା ଚାଲିଛି; ସରୁନି ୫୩ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ
ଯାଜପୁର: କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟରେ କର୍ଯ୍ୟ ଶେଷକୁ ଗୁରୁତ୍ୱ ଦେଇଥାନ୍ତି ବୋଲି ଦଳର ନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ କହିଥାନ୍ତି । ବିଶେଷ କରି ରାଜପଥ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ସମୟକୁ ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ଖୋଦ ବିଭାଗୀୟ ମନ୍ତ୍ରୀ ନିତିନ ଗଡ଼କରୀ ବିଭିନ୍ନ କାର୍ଯ୍ୟକ୍ରମରେ କହିବାର ନଜିର ରହିଛି । କିନ୍ତୁ ତାଙ୍କ ବିଭାଗ ଅଧିନସ୍ଥ ୫୩ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟର କୌଣସି ସମୟସୀମା ନିର୍ଘଣ୍ଟ ଥିବା ପରି ଲାଗୁନି । ଶହଶହ କିଲୋମିର ରାଜପଥ ନିର୍ମାଣ କାର୍ଯ୍ୟ ବର୍ଷ କେଇଟାରେ ଶେଷ ହେଉଥିବା ବେଳେ ଚଣ୍ଡିଖୋଲରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀକୁ ସଂଯୋଗ କରୁଥିବା ୫୩ନଂ ଜାତୀୟ ରାଜପଥ କାର୍ଯ୍ୟ ୧୨ବର୍ଷ ହେଲା ଚାଲିଛି ଯେ ଯାହା ଶେଷ ହେବାର ନାଁ ଧରୁନି । ଡୁବୁରୀ-ଚଣ୍ଡିଖୋଲ ୩୯ କିମି ରାସ୍ତାକୁ ଚାରିଥାକିଆ ସହ କବାଟବନ୍ଧ ଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ କାମାକ୍ଷାନଗର-ଡୁବୁରୀ ରାସ୍ତାର ସୁକିନ୍ଦାଗଡ ଠାରେ ଏକ ଫ୍ଲାଏ ଓଭର ବ୍ରିଜ ତ୍ୱରିତ ନିର୍ମାଣ ପାଇଁ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି । ଶ୍ରୀ ଘଡ଼ାଇ ଦର୍ଶାଇଛନ୍ତି କି କାମାକ୍ଷାନଗର-ଡୁବୁରୀ ରାସ୍ତାର ସୁକିନ୍ଦାଗଡ ଠାରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହୋଇନଥିବା ସ୍ଥଳେ ଏହି ରାସ୍ତାକୁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉଦ୍ଘାଟନ କରିଛନ୍ତି । ହେଲେ ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ଯୋଗୁ ବାରମ୍ବାର ଦୁର୍ଘଟଣାମାନ ଘଟି ଜୀବନହାନୀ ଘଟୁଛି । ଶ୍ରୀ ଘଡ଼ାଇ ଲେଖିଛନ୍ତି କି ଚଣ୍ଡୀଖୋଲ-ଡୁବୁରୀ ରାଜପଥକୁ ଚାରିଥାକିଆ ରାସ୍ତାରେ ପରିଣତ କରିବା ପାଇଁ ଦୀର୍ଘ ୧୨ ବର୍ଷ ହେଲା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଅର୍ଦ୍ଧାଧିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଫଳରେ ଦୈନିକ ତାଳଚେରର କୋଇଲା ଖଣି, ସୁକିନ୍ଦା କ୍ରୋମ ଭ୍ୟାଲି, ଦୈତାରୀ, ବଡବିଲ, ଯୋଡାର ଖଣି ଅଞ୍ଚଳ ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ପାରାଦ୍ୱୀପ ପୋର୍ଟ, ଭାଇଜାଗ ପୋର୍ଟ, ଧାମରା ପୋର୍ଟ ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଭାରୀ ଯାନ ଚଳପ୍ରଚଳ କାରଣରୁ ସ୍ଥାନୀୟ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସହିତ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଣୁ ୫୩ ନଂ. ଜାତୀୟ ରାଜପଥର ଚଣ୍ଡିଖୋଲ-ଡୁବୁରୀ ରାସ୍ତା, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ସୁକିନ୍ଦାଗଡ ଠାରେ ଏକ ଫ୍ଲାଏ ଓଭର ବ୍ରିଜ ତ୍ୱରିତ ଭାବେ ନିର୍ମାଣ କରି ଶେଷ କରିବାର ଆବଶ୍ୟକତା ରହିଛି । ଯାହା ଜନତାଙ୍କ ସ୍ୱାର୍ଥ ସାଧନ ହୋଇପାରିବ । ଶ୍ରୀ ଘଡ଼ାଇ ଏ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୂର୍ତ୍ତ ଆଇନ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଏବଂ ଯାଜପୁରର ସାଂସଦଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ ରଖିଛନ୍ତି ।