ଏମିତି ଚାଲିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଯେଉଁ ଗରିବ ଲୋକଟିର କେହି ନାହାନ୍ତି ତାକୁ ଭଗବାନ ଭରଷା । ଭଗବାନଙ୍କ ଦ୍ୱାରରୁ ଯଦି ସେ ନିରାଶ ହୁଏ ତେବେ ତାକୁ ନ୍ୟାୟ ଦେଇଥାଏ ଭାରତୀୟ ସମ୍ବିଧାନ । ସମ୍ବିଧାନ ବଳରେ ରାଜ୍ୟ ତଥା ଦେଶର ଶାସନ ମୁଖ୍ୟ, ବିଭିନ୍ନ ସଂସ୍ଥାନର ମୁଖ୍ୟ ହୋଇଥିବା ଅଧିକାରୀ ସୁଚାରୁ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ । ଏକ ଦଶନ୍ଧି ଧରି ମୌଳିକ ଅଧିକାର ପାଇଁ ସଙ୍ଘର୍ଷ କରୁଥିବା ଗରିବ ଲୋକଟି ନ୍ୟାୟ ତ ଦୂରର କଥା ଓଲଟି ନିର୍ଯାତନାର ଶିକାର ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ସରକାରଙ୍କୁ ଲୋକଙ୍କ ସରକାର ଆଉ ମୁଖ୍ୟମନ୍ତ୍ରୀ ଯେ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା କଥାଟା ତାଙ୍କୁ ଦୁଇ ଥର ଭେଟି ନ୍ୟାୟ ପାଇନଥିବା ବଳରାମଙ୍କ କ୍ଷେତ୍ରରେ ବିଡମ୍ବନା ପରି ମନେହୁଏ । ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ପଞ୍ଚାୟତ ଅଧୀନରେ ଥିବା ଗୁଲଜାରନଗର ପାଟଣା ଗ୍ରାମର ବଳରାମ ମଲିକ (୪୭) ଜଣେ ଗରିବ ଅନୁସୂଚିତ ଜାତିର ବ୍ୟକ୍ତି । ନୁଆଁଣିଆ ଚାଳ ଘର ଦୁଇ ବଖରାକୁ ଛାଡି ଦେଲେ ତାଙ୍କର ବାଡି ଗୁବାରେ ଗୁବାଏ ଜାଗା ନାହିଁ । ଘରପଛ ପଟେ ଥିବା ମୁକୁଳା ଡ୍ରେନ୍ରେ ପଡି ତାଙ୍କ ବାପାଙ୍କର ଗୋଡ ଭାଙ୍ଗିଲା ଓ ପରେ ପରେ ଚିିକିତ୍ସା ଅଭାବରୁ ସେ ୨୦୧୬ରେ ମୃତୁ୍ୟ ବରଣ କଲେ । ମୁକୁଳା ଡ୍ରେନ୍ର ନିରାକରଣ ଓ ହରିଶ୍ଚନ୍ଦ୍ର ଯୋଜନାରେ ଅନୁଦାନ ପାଇବା ପାଇଁ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମାଙ୍କ ନାମରେ ଥିବା ଅନ୍ତ୍ୟୋଦୟ ଅର୍ନ୍ନ ଯୋଜନାରେ ରାସନ କାର୍ଡଟିକୁ କାଟି ଦିଆଗଲା । ଜଣେ ସମାଜସେବୀଙ୍କ ସହାୟତାରେ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ମିଳିଥିଲା । ତାଙ୍କ ବାପା ଦୀର୍ଘ ପାଞ୍ଚ ଦଶନ୍ଧି ଧରି ମହାବିନାୟକ-ଦର୍ପଣ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଅକ୍ତିଆର କରି ରଖିଥିବା ଏକ ପ୍ଲଟ୍ରେ ବଳରାମ ଆବାସ ଯୋଜନାରେ ଦୁଇ ବଖରାର ମୂଳଦୁଆ ସ୍ଥାପନ କଲେ । ଏହି ମୂଲ୍ୟବାନ ଜମି ଉପରେ ଲୋଲୁପ ଦୃଷ୍ଟି ରଖିଥିବା ଗ୍ରାମର ଶାସକ ଦଳର ବାହୁବଳୀ କୁଜି ନେତାମାନେ ଏହି ପ୍ଲଟ୍ର କିଛି ଅଂଶ କିମ୍ବା ୨୦ହଜାର ଟଙ୍କା ଦାବି କଲେ । ଏଥିରେ ସେମାନେ ବିଫଳ ହେବାରୁ ଆବାସ ଯୋଜନାର ପ୍ରଥମ କିସ୍ତି ପରେ ଆଉ କିସ୍ତି କରେଇ ଦେଲେ ନାହିଁ । ବଳରାମ ଏ ବିଷୟରେ ପୁନର୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ କ୍ରୋଧାନ୍ୱିତ ହୋଇ ଏହି କୁଜି ନେତାମାନେ ବଳରାମ ଘର ମୂଳଦୁଆ ଦେଇଥିବା ସ୍ଥାନକୁ ଜେସିବି ସାହାଯ୍ୟରେ ପଥର କଟା ପୋଖରୀରେ ପରିଣତ କରିଦେଲେ । ଏକାଧିକ ଯୋଜନାରୁ ଅର୍ଥ ହଡପ କରି ଫକୀର ମୋହନଙ୍କ ଛ ମାଣ, ଆଠ ଗୁଣ୍ଠର ପୁନରାବୃତ୍ତି କଲେ । କର୍ତ୍ତବ୍ୟ ବିମୂଢ ହୋଇ ବଳରାମ ମୁଖ୍ୟମନ୍ତ୍ରୀ, ପୁଲିସ ମହାନିଦେ୍ର୍ଦଶକ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ରାଷ୍ଟ୍ରିୟ ଅନୂସୂଚିତ ଜାତି ଆୟୋଗଙ୍କୁ ଗୁହାରି କଲେ । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଇଙ୍ଗିତରେ ଚାଲୁଥିବା ଏକଛତ୍ରବାଦ, ଚଇତି ଘୋଡା ସରକାର ବଳରାମଙ୍କ ଦୁଃଖ ଶୁଣିଲାନାହିଁ । ଶାସକ ଦଳର କୁଜି ନେତାମାନେ ଆହୁରି ବଳଶାଳୀ ହୋଇ ବଳରାମଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ପଥର, ବାଲି ବି ଚୋରିକରି ନେଇଗଲେ । ପୁଣି ସେହି ସ୍ଥାନକୁ ତାଡି ମୋରମ ବିକ୍ରିକଲେ । ଦୁଇ ତିନି ବର୍ଷ ପୂର୍ବରୁ ତାଙ୍କ ମା ମୀନା ମଲିକଙ୍କର ବିଧବା ଭତ୍ତା ଓ ରାସନ କାର୍ଡଟିଏ ମଞ୍ଜୁର ହୋଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏହା ପ୍ରଦାନ କଲେ ନାହିଁ । ଫଳରେ ବଳରାମଙ୍କ ପରିବାର ପାଇଁ ବିଶ୍ୱ ମହାମାରୀ କରୋନାର ଦାଉ ଅପେକ୍ଷା ପ୍ରଶାସନର ଦାଉ ଅଧିକ ଭାରି ପଡିÿଲା । ଅନନ୍ୟୋପାୟ ହୋଇ ସେ ବିଶ୍ୱର ସର୍ବ ବୃହତ କର୍ମ ନିଯୁକ୍ତି ଯୋଜନା ‘ମନରେଗା’ ରେ କାମ ପାଇଁ ପଞ୍ଚାୟତସ୍ତରରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କଲେ । ଦୁର୍ବଳ ଶ୍ରେଣୀ ପାଇଁ ଅନନ୍ତ ଶୟନରତ ସରକାରର ତଥାପି ନିଦ୍ରାଭଙ୍ଗ ହେଲାନାହିଁ । ବଳରାମଙ୍କୁ ଶହେ ଦିନର କାମ ମିଳିଲାନି କି ମନରେଗା ଆଇନ ଅନୁସାରେ ବେରୋଜଗାର ଭତ୍ତା ମିଳିଲା ନାହିଁ । ୨୦୨୨ମଇ ୧୭ତାରିଖରେ ବଡଚଣାରେ ହେଉଥିବା ଜିଲାସ୍ତରୀୟ ମିଳିତ ଜନଶୁଣାଣୀରେ ସେ ଜିଲା ମୁଖିଆ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଭେଟି ସବୁ କଥା ଜଣାଇଥିଲେ । ସବୁଠାରୁ ନିରାଶ ହେବା ପରେ ବଳରାମ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଏନ୍ ଭି ରମନା ଓ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କୁ ଚିଠି ଲେଖି ନ୍ୟାୟ ଦେବାକୁ ଗୁହାରି କରିଥିଲେ । ଜଣେ ଅନୁସୂଚିତ ଜାତିର ଲୋକର ପରିବାରକୁ ନାନାଦି ନିର୍ଯାତନା, ଉପରିସ୍ଥ ଅଧିକାରୀଙ୍କ ନିିଦେ୍ର୍ଦଶକୁ କାର୍ଯ୍ୟକାରୀ ନକରିବାରୁ ତତ୍କାଳୀନ ବଡଚଣା ବିଡିଓ ତଥା ପ୍ରୋଗ୍ରାମ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ଦର୍ପଣ ସରପଞ୍ଚ ରଞ୍ଜନ ଦାଶ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ତତ୍କାଳୀନ ଏଫ୍ପିଏସ୍ ଡିଲର ବିଜୟ ସାରଥି ପଣ୍ଡା, ବଡଚଣା ଏମ୍ଆଇ, ଜିଆର୍ଏସ୍, ସଂପୃକ୍ତ ମନରେଗା କନିଷ୍ଠଯନ୍ତ୍ରୀ ଓ ସଂପୃକ୍ତ ଅନ୍ୟ ଅଧିକାରୀ ବା କର୍ମଚାରୀଙ୍କୁ ମନରେଗା ଆଇନ, ଖାଦ୍ୟ ସୁରକ୍ଷା ଆଇନ ଓ ପୋଆଆଇନ ଅନୁସାରେ ଦଣ୍ଡିତ କରିବାକୁ ସେ ବଡଚଣା ଥାନାରେ ରେଜିଷ୍ଟ୍ରି ଡାକ ଯୋଗେ ଲିଖିତ ଅଭିଯୋଗ କରିଥିଲେ । ଅଢେଇ ବର୍ଷ ପରେ ମଧ୍ୟ ଅଭିଯୋଗ ପଞ୍ଜୀକୃତ ହୋଇନାହିଁ । ରାଜ୍ୟ ସରକାର ପରିବର୍ତ୍ତନ ହେବା ପରେ ବଳରାମ ଅକ୍ଟୋବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରିଥିଲେ । ବଡଚଣା ବ୍ଲକର କିଛି ଅଧିକାରୀ ବଳରାମଙ୍କ ଘରେ ପହଞ୍ଚି ତଦନ୍ତ କଲେ । ମୀନା ମଲିକର ଭତ୍ତା ଓ ରାସନ କଟିଯାଇ ଥିବାର ଉତ୍ତର ଆସିଲା । ପୁନଶ୍ଚ ବଳରାମ ୩୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁକଥା କହିଲେ । ତୁରନ୍ତ ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଇତିମଧ୍ୟରେ ୧୮ଦିନ ବିତି ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଯେନତେନ ଦୁଇ ଧାଡି ଲେଖିଦେଲେ କାଗଜ ପତ୍ରରେ ଅଭିଯୋଗ ସିନା ସମାଧାନ ହୋଇଯାଏ କିନ୍ତୁ ବାସ୍ତବରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଥାଏ । ତୁରନ୍ତ ବଳରାମକୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି ।