ଭି.ଏନ୍.କଲେଜ ଅଧ୍ୟକ୍ଷଙ୍କ ସହ ୩୦ଅଧ୍ୟାପକ-ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ୍

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଶ୍ରେଣୀଗୃହ ସହ କମନରୁମରେ ଅନୁପସ୍ଥିତ ଥିବା ଅଭିଯୋଗରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ୩୦ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି । ୩ଦିନ ମଧ୍ୟରେ ଆଶାନୁରୂପକ ଉତ୍ତର ନମିଳିଲେ ଉକ୍ତ ଦିନର ଦରମା ବନ୍ଦ ପାଇଁ ଉଚ୍ଚଶିକ୍ଷା ବିଭାଗ, ଜିଲାପାଳଙ୍କୁ ସୁପାରିଶ କରିଛନ୍ତି କଳିଙ୍ଗନଗର ଅତିିରିକ୍ତ ଜିଲାପାଳ ତଥା ପରିଚାଳନା କମିଟି ସଭାପତି ସପନ କୁମାର ନନ୍ଦ । ପାଠପଢା ସମୟରେ ଭିଏନକଲେଜରେ କିଛି ଅଧ୍ୟାପକ ମଦ୍ୟପାନ କରୁଥିବା ଭଳି ସାଂଘାତିକ ଅଭିଯୋଗ ପାଇବା ପରେ ଏଡ଼ିଏମ ଶ୍ରୀନନ୍ଦ ବୁଧବାର ଦିବା ୩ଟା ୨୫ସମୟରେ କଲେଜ ପରିଦର୍ଶନ କରିଥିଲେ । ଶ୍ରୀ ନନ୍ଦ କଲେଜ କମନରୁମରେ ପହଞ୍ଚି ଭିତର ପଟୁ କବାଟ ଦେଇ ଉପସ୍ଥାପନ ରେଜିଷ୍ଟର ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦିଙ୍କ ସହ କଳା ବିଭାଗର ପ୍ରଜ୍ଞାପ୍ରବର୍ତ୍ତିକା ଦାସ, ଜୟଶ୍ରୀ ଜେନା, ରଞ୍ଜନ ମଲିକ, କୃଷ୍ଣଚନ୍ଦ୍ର ମିଶ୍ର, ଗୌରାଙ୍ଗ ମଲିକ, ଦିପ୍ତୀମୟୀ ଦାସ, ଅକ୍ଷୟ ମହାନ୍ତି, ରଞ୍ଜିତ ପହି, ସନାତନ ଦାସ, ପ୍ରମୋଦିନୀ ତରାଇ, ଭାଗ୍ୟଲକ୍ଷ୍ମୀ ଦାସ, ମାଧବ ଦେହୁରୀ, ଅରବିନ୍ଦ ବୋଷ, ରାଜେଶ ସାହୁ, ଦିଲୀପ ମହାନ୍ତି, ବବ୍ରୁ ବାହାନ ଜେନା, ଅଜୟ ମହାକୁଡ଼, ଗୋଲକ ବିହାରୀ ମହାକୁଡ଼, କ୍ଷୀତିଶ ମହାପାତ୍ର, ଜଗବନ୍ଧୁ ସାହୁ, ବିଦ୍ୟାଧର ରାଉତ, ପ୍ରଶାନ୍ତ ସାହୁ, ଅମୂଲ୍ୟକୃଷ୍ଣ ପାଢୀ, ଅଜୟ ପଣ୍ଡା, ମୌସୁମୀ ମିଶ୍ର, ବିକାଶ ବେହେରା, କାର୍ତ୍ତିକ ବରାଦ, ସନ୍ଧ୍ୟାରାଣୀ ଦାସ ଓ ଅନ୍ନପୂର୍ଣ୍ଣା ରାଉତ ପ୍ରମୁଖ ଅନୁପସ୍ଥିତ ରହିଥିବାର ଦେଖିବାକୁ ପାଇଥିଲେ । ଏମାନେ କମନରୁମ କି ଶ୍ରେଣୀଗୃହରେ ନଥିବାର ଦେଖି ଏଡିଏମ ଶିକ୍ଷା ବିଭାଗକୁ ୩ଦିନିଆ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଯଦି ଉତ୍ତର ଆଶାଜନକ ନହେଲେ ଉକ୍ତଦିନର ଦରମା ବନ୍ଦ କରିବାକୁ ସୁପାରିଶ କରିଛନ୍ତି । ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନେଇଥିବା ଏଡ଼ିଏମ ଶ୍ରୀନନ୍ଦ କହିଥିବା ବେଳେ ଆଗାମି ଦିନରେ କଲେଜରେ ଶୃଙ୍ଖଳିତ ଭାବେ ପାଠପଢା କିଭଳି ହୋଇପାରିବ, ସେଦିଗରେ ତାଙ୍କ ଉଦ୍ୟମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି । ତେବେ ଏଡ଼ିଏମଙ୍କ ଏଭଳି ସୁପାରିଶକୁ ନାପସନ୍ଦ କରିଛନ୍ତି କର୍ମଚାରୀ । ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି ଯେ କଲେଜର କିଛି କ୍ଲାସ ରୁମକୁ ବୁଲି ଦେଖିବା ପରେ କମନରୁମରେ ପଶି କବାଟ ବନ୍ଦ କରି ଉପସ୍ଥିତ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥାନ ନେଇଥିଲେ । କଲେଜ କର୍ମଚାରୀଙ୍କ କହିବା ଅନୁସାରେ ଏଡିଏମ କଲେଜକୁ ଆସିବା ସମୟରେ କଳା ବିଭାଗର କ୍ଲାସ ନଥିଲା ଓ ଶେଷ କ୍ଲାସ୍ ୨ଟା ୪୫ରେ ଶେଷ ହୋଇଥିଲା । ତେଣୁ କେତେକ ଅଧ୍ୟାପକ ସେହି ସମୟରେ କଲେଜ ପଡିଆରେ ଅନୁଷ୍ଠିତ କଲେଜସ୍ତରୀୟ ଫୁଟ୍ବଲ ମ୍ୟାଚ ଦେଖିବାକୁ ଚାଲିଯାଇଥିଲେ ଓ କେତେକ ଅଧ୍ୟାପକ +୩  ଇଣ୍ଟରନାଲ ପରୀକ୍ଷାର ଖାତା ମୂଲ୍ୟାୟନ କରୁଥିଲେ । କେତେକ ଅଧ୍ୟାପକ କଲେଜ ଲାଇବ୍ରେରୀରେ ଥିଲେ । ଏପରିକି କେଇଜଣ ମାତୃତ୍ତ୍ୱ ଛୁଟିରେ ରହିଥିଲେ । କଲେଜରେ କଳା ବିଭାଗ ନିମନ୍ତେ କୌଣସି ସ୍ୱତନ୍ତ୍ର କୋଠା ନଥିବା ବେଳେ କମନରୁମର ଉପସ୍ଥାପନ ଆଧାରରେ କେବଳ କଳା ବିଭାଗର ଅଧ୍ୟାପିକା ଓ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏକପାଖିଆ ନିଷ୍ପତ୍ତି ଛଡ଼ା ଆଉ କିଛି ନୁହେଁ । ବିଭିନ୍ନ ଘଟଣାବଳୀକୁ ନେଇ ଚର୍ଚ୍ଚାକୁ ଆସୁଥିବା ଭିଏନ କଲେଜର ପରିଚଳାନା କମିଟିକୁ ତୁରନ୍ତ ଗଠନ କରିବା ସହ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବାକୁ  ବିଧାୟକ ଓ ସରକାରଙ୍କ ନିକଟରେ ସାଧାରଣରେ ଦାବି କରାଯାଇଛି ।