ଭିକାରୀବଳଙ୍କ ପ୍ରତିମୂର୍ତ୍ତିକୁ ନେଇ ରାଜନୀତି ବନ୍ଦ ହେଉ : ଗୀତାଞ୍ଜଳୀ

 କେନ୍ଦ୍ରାପଡା  : କଳା, ସାହିତ୍ୟ, ସଂସ୍କୃତି ତଥା ପୂଜ୍ୟ ପୂଜାର ମାଟି କେନ୍ଦ୍ରାପଡା ଅନେକ ପ୍ରଥିତଯଶା ପ୍ରତିଭାଙ୍କୁ ଜନ୍ମ ଦେଇଛି । ରାଜ୍ୟର ଲୋକପ୍ରିୟ ମୋହନ ସରକାର କେନ୍ଦ୍ରାପଡାରେ ଜନ୍ମିତ ଭଜନ ସମ୍ରାଟ ଭିକାରୀ ବଳଙ୍କ ଏକ ପୂର୍ଣ୍ଣାବୟବ ବ୍ରୋଞ୍ଚ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି । ସରକାରୀ ସ୍ତରରେ ଏକର ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି । ଏହା ସହିତ ସଂଙ୍ଗୀତ ବାଦଶାହା ଅକ୍ଷୟ ମହାନ୍ତି ଓ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉଦ୍ୟମ ଚାଲିଛି । ବରପୁତ୍ରଙ୍କୁ ସମ୍ମାନ ସହିତ ପ୍ରତିଷ୍ଠିତ କରି ଉପର ପିଢିଙ୍କ ନିକଟରେ ଉକୃଷ୍ଟ ଉଦାହରଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଯତ୍ନଶୀଳ ଅଛନ୍ତି । ଠିକ୍ ଏହାର ପୂର୍ବରୁ ସ୍ଥାନୀୟ ବିଧାୟକ ନିଜର ଅସ୍ତିତ୍ୱ ରକ୍ଷା ଓ ରାଜନୈତିକ ଉଦେ୍ଦଶ୍ୟ ରଖି ତରବରିଆ ଭାବେ ସେହି ପୂଣ୍ୟତ୍ମାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବାରୁ ବିଜେପି ନେତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ପାର୍ଥୀ ଗୀତାଞ୍ଜଳୀ ସେଠୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ନାପସନ୍ଦ କରି ପ୍ରେସ୍ ବିବୃତି ଦେଇଛନ୍ତି । ସ୍ୱର୍ଗତ ଭିକାରୀ ବଳ କେବଳ ସୋବଳା, ଗୋଗୁଆ କିମ୍ବା କେନ୍ଦ୍ରାପଡା ରେ ସୀମିତ ନରହି ସମସ୍ତ ରାଜ୍ୟର ଗୈାରବ ଥିଲେ । ପୂର୍ବ ସରକାର ଗତ ୨୫ ବର୍ଷ ଭିତରେ ତାଙ୍କୁ କେବେ ବି ମନେ ପକାଇ ନଥିବା ବେଳେ ବର୍ତ୍ତମାନ ମୋହନ ସରକାରଙ୍କ ସଫଳତାକୁ ଲୁଚାଇ କେହି ଯଦି ରାଜନୈତିକ ଶ୍ରେୟ ନେବାକୁ ଉଦ୍ୟମ କରୁଥାଏ ସେଥିରେ ସେମାନେ କେବେହେଲେ ସଫଳ ହେବେ ନାହିଁ ବୋଲି ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।