ଭିଜିଲାନ୍ସ ଜାଲରେ କିରାଣୀ
ବୁଗୁଡା: ଭିଜିଲାନ୍ସ ଜାଲରେ ପଡି ବୁଗୁଡା ସବ୍ରେଜିଷ୍ଟାର ଅଫିସର ପ୍ରାକ୍ତନ କନିଷ୍ଠ କିରାଣୀ ଶ୍ରୀକାନ୍ତ ଡାକୁଆ ଓରଫ୍ କାଳିଆ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣାପଡିଛି । ଗତ ୨୦୨୩ ମସିହା ସପ୍ଟେମ୍ବର ମାସରେ ବୁଗୁଡାର ତତ୍କାଳୀନ ତହସିଲଦାର ତଥା ଭାରପ୍ରାପ୍ତ ଉପନିବନ୍ଧକ ସଂଗ୍ରାମ କେଶରୀ ଜେନା ଭିଜିଲାନ୍ସ ପଞ୍ଝାରେ ପଡି ଭୁବନେଶ୍ୱର ଝାରପଡା ଜେଲକୁ ଯିବା ଘଟଣା ପରଠୁ ଭିଜିଲାନ୍ସର ସ୍କାନରରେ ରହିଆସୁଥିଲେ ବୁଗୁଡା ଉପନିବନ୍ଧକ କାର୍ଯାଳୟର ଏହି ପ୍ରାକ୍ତନ କିରାଣୀ ଶ୍ରୀକାନ୍ତ ଡାକୁଆ । ପରବର୍ତ୍ତୀ ସମୟରେ ଶ୍ରୀକାନ୍ତଙ୍କ ବଦଳି ବେଲଗୁଣ୍ଠା ଉପନିବନ୍ଧକ କାର୍ଯାଳୟକୁ ହୋଇଥିଲା । ତେବେ ଗତ ୧୩ ତାରିଖ ରାତିରେ ଶ୍ରୀକାନ୍ତ ନିଜର ଟାଟା ନେକ୍ସନ୍ କାର(ନଂ - ଓଡି-୦୨-ବିଭି -୧୪୦୨)ରେ ବେଲଗୁଣ୍ଠାରୁ ବୁଗୁଡାକୁ ଫେରିବା ବେଳେ ମୋଟାବାଡି ରାସ୍ତାରେ ଭିଜିଲାନ୍ସ ଟିମ୍ ଚଢାଉ ସହ ତାଙ୍କ ଠାରୁ ନଗଦ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ କରିଥିଲା । ଶ୍ରୀକାନ୍ତ ନିଜ ପାଖରେ ଥିବା ଟଙ୍କା ସମ୍ପର୍କେ ଭିଜିଲାନ୍ସ ଟିମକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଭିଜିଲାନ୍ସ ତାଙ୍କର କାରଟିକୁ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା । ଏଥିସହ ଭିଜିଲାନ୍ସ ଟିମ୍ ବୁଗୁଡା ସ୍ଥିତ ସରକାରୀ ବାସଭବନ ଏବଂ ବେଲଗୁଣ୍ଠା ଉପନିବନ୍ଧକ କାର୍ଯାଳୟରେ ପହଞ୍ଚି ଛାନଭିନ୍ କରିଥିଲେ । ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ବରିଷ୍ଠ ଇନିସପେକ୍ଟର ସୌମ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ୨ ଜଣ ଇନିସପେକ୍ଟର, ୨ ଜଣ ଏସ୍ଆଇ , ୩ ଜଣ ଏଏସ୍ଆଇଙ୍କୁ ନେଇ ଗଠିତ ଦୁଇଟି ଟିମ ଉକ୍ତ ଚଢାଉରେ ସାମିଲ ହୋଇଥିଲେ । ଏ ନେଇ ଭିଜିଲାନ୍ସ ପକ୍ଷରୁ କେସ୍ ନଂ ୨/୨୫ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି ।