ମତ୍ସ୍ୟ ଚାଷ ପ୍ରଶିକ୍ଷଣ  ଶିବିର

ନିମାପଡ଼ା: ଜିଲ୍ଲାସ୍ତରୀୟ ମତ୍ସ୍ୟ ଚାଷ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଛି  । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମାଛ ଚାଷୀମାନେ କିପରି ସଠିକ୍ ଭାବେ ମାଛ ଚାଷ କରି ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ  । ଏହି ଅବସରରେ ୧୬ଟି ଏସ୍ଏଚ୍ଜି ଗ୍ରୁପ୍ଙ୍କୁ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ଯୋଜନା ଅଧୀନରେ ୩ ଜଣଙ୍କୁ, ବାୟୋଫ୍ଲକ୍ ପାଇଁ ୩ଜଣଙ୍କୁ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨ଜଣଙ୍କୁ ଆକ୍ୱାସପ୍ ଏବଂ ଜଣଙ୍କୁ ମାଛ ହ୍ୟାଚେରୀ ପାଇଁ କାର୍ଯ୍ୟାଦେଶ ଦେଇଛନ୍ତି  । ମାଛ ଚାଷକୁ ପ୍ରୋତ୍ସାହନ ପାଇଁ ତିନି ହଜାର ପାଞ୍ଚ ଶହ କୋଟି ନିବେଶ କରାଯିବା ସହ ଚାଷୀଙ୍କ ପାଇଁ ଜାଲ ଓ ଡଙ୍ଗାର ବ୍ୟବସ୍ଥା କରାଯିବ । ବିଡିଓ ଅଭିଜିତ ଷଡ଼ଙ୍ଗୀ, କୃଷି ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ, ମାଛଚାଷ ଅଧିକାରୀ ସଂଘମିତ୍ରା ପାଣିଗ୍ରାହୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଅନୁସୟା ମହାନ୍ତି, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ଆତ୍ମାର ଅଧ୍ୟକ୍ଷ ଦିଲ୍ଲୀପ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ  । ଉପମୁଖ୍ୟମନ୍ତ୍ରୀ ୨୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ କାର୍ଯ୍ୟାଦେଶ, ୧୮ ଜଣଙ୍କୁ ୫୦୦ ସଂଖ୍ୟା ବିଶିଷ୍ଟ କୁକୁଡ଼ା ଚାଷ କାର୍ଯ୍ୟାଦେଶ, ୪ ଜଣଙ୍କୁ ଛେଳି ପାଳନ କାର୍ଯ୍ୟାଦେଶ ଏବଂ ଜଣଙ୍କୁ ୩୦୦୦ ସଂଖ୍ୟା ବିଶିଷ୍ଟ କୁକୁଡ଼ା ଚାଷ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା  । କୃଷି ଅଧିକାରୀ ପ୍ରିୟବ୍ରତ ପୃଷ୍ଟି, ପ୍ରାଣୀ ଚିକିତ୍ସାଧିକାରୀ ପ୍ରଦୀପ ଜେନା ଆୟୋଜନ କରିଥିବା ବେଳେ କୃଷି ଉଦ୍ୟାନ ଅଧିକାରୀ ଶୁଭଶ୍ରୀ କର ପରିଚାଳନା କରିଥିଲେ ।