ମରଣଯନ୍ତା ପାଲଟିଛି ବଉଳଗଡିଆ ରାସ୍ତା 


ାା ପ୍ରଭାନୁ୍ୟଜ ।ା ନୀଳଗିରି :ନୀଳଗିରି ଉପଖଣ୍ଡ ସଦର ମହକୁମାକୁ ସଂଯୋଗ କରୁଥିବା ଔପଦା ବ୍ଲକ ନୀଳଗିରି ବଉଳଗଡିଆ ପିଡବ୍ଲୁଡି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ରାଜତନ୍ତ୍ର ସମୟରେ ନିର୍ମିତ ଉକ୍ତ ରାସ୍ତାଟି ଜନସାଧାରଣଙ୍କ ଯାତାୟତରେ ସୁବିଧା ପାଇଁ ନିର୍ମାଣ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟ ସରକାର ହାତକୁ ନେଇଥିଲେ । ମାତ୍ର ରାସ୍ତାର ଦୂରାବସ୍ଥା ପାଇଁ ବାରମ୍ବାର ଅଭିଯୋଗ, ରାସ୍ତାରୋକ୍ ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାଁନ୍ତି । ଉକ୍ତ ରାସ୍ତାଟି ଔପଦା, ନୀଳଗିରି ଓ ମୟୂରଭଞ୍ଜବାସୀଙ୍କ ପାଇଁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ହୋଇଥିବାବେଳେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ମାର୍ଗ । ମାତ୍ର ରାଜ୍ୟ ସରକାର ୨୦୨୨/୨୩ ବର୍ଷରେ ଉକ୍ତ ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ ପାଇଁ ନାବାର୍ଡ ସ୍ୱରାଜ ଯୋଜନାରେ ୩୨କୋଟି ଅର୍ଥ ବ୍ୟୟବରାଦ ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ହୋଇଥିଲା । ଉକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ମେକିନଟସ୍ କନଷ୍ଟ୍ରକ୍ସନ ଟେଣ୍ଡର ଗ୍ରହଣ କରି ୨୦୨୩ମସିହା ଏପ୍ରିଲ୍ ୧୪ତାରିଖ ଚୁକ୍ତିବଦ୍ଧ ହୋଇଥିଲା । ଯାହା ଏକ ବର୍ଷର ସମୟସୀମା ଧାର୍ଯ୍ୟ ହୋଇ କାର୍ଯ୍ୟାରମ୍ଭ ହୋଇଥିଲା । ଏ ନେଇ ରାସ୍ତା କଡ଼ରେ ଥିବା ଛୋଟଛୋଟ ଦୋକାନୀ, ବାସଗୃହ ଆଦି ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ମାତ୍ର କାର୍ଯ୍ୟାଦେଶର ଅବଧିକୁ ଏକବର୍ଷରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ରାସ୍ତାକାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏ ପଟେ ଠିକାଦାର ସଂସ୍ଥା ନିଜର ଯନ୍ତ୍ରପାତି ନେଇ ଚମ୍ପଟ ମାରିଛି । ତେବେ ରାସ୍ତା ପାର୍ଶ୍ୱରେ ଥିବା ଗଛ ଗୁଡିକ କରିବା ପାଇଁ ଜଙ୍ଗଲ ବିଭାଗ ଅନୁମତି ଦେଉନଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରୁନଥିବା ବିଭାଗୀୟ ଯନ୍ତ୍ରୀ ସଫେଇ ଦେଇଛନ୍ତି । ଏ ନେଇ ଓଉପଦା ପଞ୍ଚାୟତ ସମିତି ଅଧିନରେ ଥିବା ପଞ୍ଚାୟତବାସୀ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ରାସ୍ତା ପାର୍ଶ୍ୱରେ ଥିବା ଗଛ ଅପସାରଣ କରିବା ସହିତ ସଂପୃକ୍ତ ଠିକାଦାରକୁ ରାସ୍ତା ନିର୍ମାଣ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଯାହା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଶହଶହ ଯାତ୍ରୀ, ଯାନବାହାନ, ଆମ୍ବୁଲାନ୍ସ ଆଦି ବିପଦମୁଖରୁ ବର୍ତ୍ତିଯାନ୍ତେ ବୋଲି ବହୁ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ଜନସାଧାରଣ ଅଭିଯୋଗ ପତ୍ରରେ ସ୍ୱାକ୍ଷର କରିଥିବା ଜଣାଯାଇଛି ।