ମହିଳାଙ୍କ ବେକରୁ ଝମ୍ପିଲେ ଚେନ୍ : ପିଛାକରି ଜଣକୁ କାବୁ କଲେ ଯୁବକ

 ବ୍ୟାସନଗର:  ବୁଧବାର ସନ୍ଧ୍ୟାରେ ପୌରାଞ୍ଚଳ ଦଳା-ଚୋରଦା ବାଇପାସ ଓଭରବ୍ରିଜ୍ ଉପରେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରୁଥିବା ବେଳେ ଦୁଇ ଯୁବକ ପିଛା କରି ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ । ତେବେ ଜଣେ ଦୁର୍ବୃତ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିବା ବେଳେ ଧରାପଡ଼ିଥିବା ଦୁର୍ବୃତକୁ ଉପସ୍ଥିତ ଲୋକେ ନିର୍ଦ୍ଦୁମ ଛେଚିଥିଲେ । ଯାଜପୁର ରୋଡ଼ ପୁଲିସ ଦୁର୍ବୃତ୍ତକୁ ହେପାଜତକୁ ନେଇ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ବ୍ୟାସନଗର ପୌରାଞ୍ଚଳରେ ବାରମ୍ବାର ଛିନତାଇ ଘଟଣା ଘଟିବା ଭୟର ବାତାବରଣ ସୃଷ୍ଟି କରିଛି । ଥାନାରେ ଅଟକ ରହିଥିବା ଦୁର୍ବୃତ ବ୍ୟାସ ସରୋବର ନିକଟ ଜଗନ୍ନାଥ ସାହିର ରାଜେନ୍ଦ୍ର ବେହେରା ହୋଇଥିବା ବେଳେ ଚମ୍ପଟ ମାରିଥିବା ଦୁର୍ବୃତ ଉକ୍ତ ଅଞ୍ଚଳର ହୋଇଥିବା ସନେ୍ଦହ କରାଯାଉଛି । ଦୁର୍ବୃତଙ୍କୁ ପିଛା କରି କାବୁ କରିଥିବା ଯୁବକ ବିହାର ଅଞ୍ଚଳର ବିକାଶ କୁମାର ଏବଂ ଉତରପ୍ରଦେଶର ପ୍ରଦେଶ ଅଞ୍ଚଳର ଅରବିନ୍ଦଙ୍କ କହିବା କଥା ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ୍ ସମୟରେ ସେମାନେ ଓଭରବ୍ରିଜ୍ ଦେଇ ବାଇକ୍ରେ ଆସୁଥିବା ବେଳେ ପଛରେ ଆପାଚୀ ବାଇକ୍ରେ ଆସୁଥିବା ଦୁଇଜଣ ଯୁବକ ଜଣେ ମହିଳାଙ୍କ ବେକରୁ ଚେନ ଝମ୍ପିନେଇ ଦୃତଗତିରେ ଚୋରଦା ଛକ ଆଡ଼େ ଚମ୍ପଟମାରିଥିଲେ । ସେମାନେ ଏହା ଦେଇ ଆପାଚୀ ବାଇକ୍କୁ ପିଛାକରିଥିଲେ । ଗୋପବନ୍ଧୁ ଛକରେ ଗୋଟିଏ ମ୍ୟାଜିକ ଗାଡ଼ି ଠିଆ ହୋଇଥିବାରୁ ଶ୍ଲୋ କରିବା ବେଳେ କାବୁ କରିଥିଲେ । ତେବେ ପଛରେ ବସିଥିବା ଦୁର୍ବୃତ୍ତ ଚମ୍ପଟ ମାରିଥିଲା । ପୁଲିସ ଦୁର୍ବୃତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ବାଇକକୁ ଜବଦ କରିଛି । ରାଜ୍ୟ ବାହାରର ଦୁଇ ଯୁବକଙ୍କ ଯୋଗୁ ଜଣେ ଦୁର୍ବୃତ ଧରାପଡ଼ିଥିବା ବେଳେ ପୁଲିସ ଫେରାର ଦୁର୍ବୃତକୁ ଧରିବାକୁ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାରା ଅଛି ।