ମା’ କୋଳକୁ ଫେରିଲା ଶିଶୁପୁତ୍ର

 ଭଣ୍ଡାରିପୋଖରୀ : ମା’ କୋଳରୁ ଚୋରାଇ ନିଆଯାଇଥିବା ଶିଶୁପୁତ୍ରକୁ ସ୍ଥାନୀୟ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାଯାଇଛି । ବିବରଣୀରୁ ପ୍ରକାଶ ଯେ ସାରୋ ଗ୍ରାମର ସଶ୍ମିତା ଯେନା(୨୫)ଙ୍କ ସ୍ୱାମୀ ସରସଦା ଗ୍ରାମର ସୌମ୍ୟରଞ୍ଜନ ଯେନା ଦେଢବର୍ଷ ପୂର୍ବେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସୌମ୍ୟଙ୍କ ଔରସରୁ ସଶ୍ମିତାଙ୍କ ଏକ ଶିଶୁପୁତ୍ର ଜନ୍ମଲାଭ କରିଥିଲା । ସ୍ୱାମୀଙ୍କ ମୃତୁ୍ୟ ପରେ ଦେଢବର୍ଷର ଶିଶୁକୁ ନେଇ ସଶ୍ମିତା ବାପଘର ସାରୋକୁ ଚାଲିଯାଇଥିଲେ । ସଶ୍ମିତାଙ୍କ ଦିଅର ଆଲୋକ ବହୁବାର ସାରୋଗ୍ରାମକୁ ଯାଇ ପୁଅସହ ମିଳାମିଶା କରିବା ସହ ଗାଁ ଦେକାନକୁ ନେଇ ଚକୋଲେଟ ଆଦି ଖୁଆଏ । ଗତ ୨୦୨୪ ଜୁଲାଇ ୧୯ ତାରିଖରେ ଆଲୋକ ଓ ତା’ର ଭିଣୋଇ ସଞ୍ଜୟକୁ ସାଥିରେ ନେଇ ସାରୋଗ୍ରାମକୁ ଯାଇଥିଲେ । ସକାଳ ୮ଟା ବେଳେ ପୁଅକୁ ଚକଲେଟ ଖୁଆଇବା ବାହାନାରେ ଘରୁ ଅପହରଣ କରିନେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଥାନାରେ ୩୨୨/୨୪ନଂ ମାମଲା ୩ ଜଣଙ୍କ ନାମରେ ହୋଇଥିଲା । ସଶ୍ମିତା ପୁଅକୁ ଉଦ୍ଧାର କରିବା ପାଇଁ ବାରମ୍ବାର ଥାନାକୁ ଦୌଡି ନିରାଶ ହୋଇଥିଲେ । ଥାନାଧିକାରୀ କମଳାକାନ୍ତ ଦାସ ଏହାକୁ ଗୁରୁତ୍ୱର ସହ ନେଇ ଗତ ଗୁରୁବାର ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ସଶ୍ମିତାକୁ ହସ୍ତାନ୍ତର କରିଥିବା ଜଣାଯାଇଛି ।