ମିଥ୍ୟା ଅଭିଯୋଗ ନେଇ ସାମ୍ୱାଦିକ ସମ୍ମିଳନୀ

 ଧାମନଗର : ଧାମନଗର ଏନଏସି ଦୁଇ ନମ୍ବର ୱାର୍ଡ ଅନ୍ତର୍ଗତ ତାଳପଦା ଗ୍ରାମରେ ନିର୍ମାଣାଧୀନ ଏକ ରାସ୍ତା ପ୍ରକଳ୍ପକୁ ନେଇ ବାରମ୍ବାର ଅଭିଯୋଗ କରାଯାଉ ଥିବାରୁ ଏହା ଉପରେ ଉକ୍ତ ୱାର୍ଡର କାଉନସିଲର ଜାନକୀ ଲତା ସେଠୀ କାର୍ଯ୍ୟର ସତ୍ୟାସତ୍ୟ ଉପରେ ସାମ୍ୱାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ରଖିଛନ୍ତି । ଧାମନଗର ଏନଏସି ର ଦୁଇ ନମ୍ୱର ୱାର୍ଡ ତାଳପଦା ମୌଜାର ପ୍ଲଟ ନଂ ୧୧୮୩,୧୧୮୪ ଓ ୧୧୮୫ ଉପରେ କୋର୍ଟରେ ମାମଲା ବିଚାରାଧିନ ଥିବା ସହ ନିର୍ମାଣାଧୀନ ରାସ୍ତା ପ୍ରକଳ୍ପ ସମ୍ପର୍କରେ ସୂଚନା ଫଳକ ଲାଗି ନଥିବା ଏବଂ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ନଥିବା ସମ୍ପର୍କରେ ଅଭିଯୋଗ ମାନ କରାଯାଇଥିଲା । 
ବୁଧବାର ଅପରାହ୍ନରେ ଏ ସମ୍ପର୍କରେ ଦୁଇ ନଂ ୱାର୍ଡ କାଉନସିଲର ଜାନକୀ ଲତା ସେଠୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୧୧୮୪ ନଂ ପ୍ଲଟ ସହିତ ଏହି ପ୍ରକଳ୍ପର କୌଣସି ସମ୍ପର୍କ ନଥିବା ବେଳେ ପୂର୍ବରୁ ଥିବା ମାମଲା ଫେବୃଆରୀ ୨୦୨୦ ରେ ଖାରଜ ହୋଇଯାଇଛି । ନିର୍ମାଣାଧୀନ ପ୍ରକଳ୍ପର ସୂଚନା ଫଳକ ରହିଥିବା ବେଳେ ସେଥିରେ ଗୁମୁଗଡ ଆରଡି ରାସ୍ତା ଠାରୁ ଶ୍ମଶାନପଦା  ଘର ପର୍ଯ୍ୟନ୍ତ ପେଭର ରାସ୍ତା ଉଲ୍ଲେଖ ରହିଛି । ଏଥି ସହିତ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ କରାଯାଇ ଥିବା ଦର୍ଶାଇ ଥିଲେ । ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟିକରି ଭିତ୍ତିହୀନ ଅଭିଯୋଗ କରାଯାଇ ଥିବାରୁ ଭଦ୍ରକ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଭବିଷ୍ୟତରେ ଏପରି ଅମୂଳକ ଅଭିଯୋଗ କରି ଉନ୍ନତି ମୂଳକ କାର୍ଯ୍ୟକୁ ବନ୍ଦ କରିବାର ଅପଚେଷ୍ଟା କରାଗଲେ ବାଧ୍ୟ ହୋଇ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଥିଲେ ।