ମୁକ୍ତିକାନ୍ତଙ୍କୁ ‘ଯୋଗ ବିଭୂଷଣ’ ସମ୍ମାନ
ଖଇରା : ବାଲେଶ୍ୱର ଜିଲ୍ଲା ସମେତ ଖଇରା ବ୍ଲକର ଘରେ ଘରେ ଏବଂ ବିଭିନ୍ନ ଅନୁଷ୍ଠାନରେ ଯୋଗ ପ୍ରଶିକ୍ଷଣକୁ ନିୟମିତ କରାଇଥିବା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଭୋଗୁପୁର ଗ୍ରାମର ମୁକ୍ତକାନ୍ତ ପାଣିଗ୍ରାହୀଙ୍କୁ ତାଙ୍କର ୩୪ବର୍ଷ ସାଧନାର ଫଳ ମିଳିଛି । ଏହି ନିରବିଚ୍ଛିନ୍ନ ସେବା ପାଇଁ ଅଖିଳ ଭାରତୀୟ ଯୋଗ ମହାସଂଘ ଦ୍ୱାରା ନୂଆଦିଲ୍ଲୀର ଲାଜପତ ଭବନ ଅଡିଟୋରିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମ ତାଙ୍କୁ ଯୋଗ ବିଭୂଷଣ ସମ୍ମାନ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି । ଯୋଗ ମହାସଂଘର ରାଷ୍ଟ୍ରୀୟ ସଚିବ ମଙ୍ଗୋସ ଦ୍ୱିବେଦୀ, ବରିଷ୍ଠ ପତ୍ରକାର ଦୀପକ ଚୌରାସିଆ, ଡାକ୍ତର ଅଭିଷେକ ବର୍ମାଙ୍କ ସମେତ ବହୁ ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନ ମିଳିଛି । ଏଭଳି ଖବର ବାଲେଶ୍ୱର ଜିଲ୍ଲାର ଯୋଗପ୍ରେମୀ ବ୍ୟକ୍ତିଙ୍କୁ ଆନନ୍ଦିତ କରିଛନ୍ତି । ବ୍ରହ୍ମଚାରୀ ଭାବେ ଜୀବନ ଅତିବାହିତ କରୁଥିବା ଶ୍ରୀ ପାଣିଗ୍ରାହୀ ହରିଦ୍ୱାର ପତଞ୍ଜଳୀ ଆଶ୍ରମରେ ରାମଦେବଙ୍କୁ ନିଜର ଗୁରୁ କରି ଯୋଗ ଶିକ୍ଷା କରିବା ପରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଯୋଗଶିକ୍ଷା ପ୍ରଦାନ କରିବା ସହ ଜଡିବୁଟି ଚାରା ମଧ୍ୟ ବଣ୍ଟନ କରିଥାନ୍ତି । ଯୋଗ ପ୍ରଚାର ପାଇଁ ସେ ଭାରତର ୨୮ରାଜ୍ୟ ଗସ୍ତ କରିସାରିଛନ୍ତି । ଏଭଳି ସମ୍ମାନ ଓ ସମ୍ବର୍ଦ୍ଧନା ତାଙ୍କୁ ଆହୁରୀ ଆଗକୁ ନେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଏହି ଯୋଗ ପ୍ରଚାରକ ଜଣକ ପ୍ରକାଶ କରିଛନ୍ତି ।