ଯୋଜନା ବାଟବଣା କରୁଛନ୍ତି କର୍ମଚାରୀ:  ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି


ାା ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା 
ଯେଉଁ ମହତ ଉଦେ୍ଦଶ୍ୟ ନେଇ ୧୦୮ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି ତାହା କିଛି ନ୍ୟସ୍ତ ସ୍ୱାର୍ଥ କର୍ମଚାରୀଙ୍କ ପାଇଁ ନିଜ ଲକ୍ଷ ପଥରୁ ଦୁରେଇ ଯାଉଥିବା ଦେଖିବାକୁ ମିଳୁଛି  । ୧୦୮ ଆମ୍ବୁଲାନ୍ସରେ ଡ୍ରାଇଭରଙ୍କ ସହ ଜରୁରୀକାଳୀନ ସେବା ପାଇଁ ଜଣେ ଫାର୍ମାସିଷ୍ଟଙ୍କ ସହ ଜଣେ ଆଟେଣ୍ଡାଣ୍ଟ ନିୟୋଜିତ ଅଛନ୍ତି  । କିନ୍ତୁ ଜରୁରୀକାଳୀନ ସେବରେ ଥିବା ଫାର୍ମାସିଷ୍ଟ ନିଜ କାର୍ଯ୍ୟରୁ ବିଚୁ୍ୟତ ହେଉଥିବା ଅଭିଯୋଗ ହୋଇଛି  । ଜନସାଧାରଣଙ୍କ ଠାରୁ ଡାକରା ପାଇବା ପରେ ରୋଗୀଙ୍କ ନିକଟକୁ ଯିବେ କଣ ନିଜେ ମୋବାଇଲରେ ବ୍ୟସ୍ତ ରହିଥିବା ଅଭିଯୋଗ ହୋଇଛି  । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ମଲିପଦର ଗ୍ରାମରୁ  । ଉକ୍ତ ଗ୍ରାମର ଜଣେ ବୟସ୍କା ମହିଳା ଗୁରୁତର ହୋଇଥିବାରୁ ମେଡିକାଲ ଯିବାପାଇଁ ଜରୁରୀକାଳୀନ ସେବା ୧୦୮କୁ ଯୋଗାଯୋଗ କରାଯାଇଥିଲା । ଏହାପରେ ୧୦୮ ଗାଡି ଆସିଥିଲା । କିନ୍ତୁ ଉକ୍ତ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ନିଜ ଦାୟିତ୍ୱ ଓ କର୍ତବ୍ୟ ଭୁଲିଯାଇ ରୋଗୀଙ୍କ ଗୁରୁତର ଅବସ୍ଥାକୁ ଅଣଦେଖା କରି ଫୋନରେ ଗେମ ଖେଳିବାରେ ବ୍ୟସ୍ତ ଥିଲେ । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ । ଏପରିକି ଆମ୍ବୁଲାନ୍ସରେ ଥିବା କର୍ମଚାରୀ ରୋଗୀଙ୍କୁ ଆପଣ ଉଠାନ୍ତୁ ବୋଲି କହିବାରୁ ପରିବାର ଲୋକ ଓ ସ୍ଥାନୀୟ ଲୋକ ମାନେ ମିଶି ରୋଗୀଙ୍କୁ ଆମ୍ବୁଲାନ୍ସ ଉପରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଯାହାକୁନେଇ ଫାର୍ମାସିଷ୍ଟ ଜଣକ ଆମେ ତମ ପାଇଁ ନଖାଇ ନପିଇ ଆସିଛୁ, ତମେ ମାଗଣାରେ ଯିବ କେତେ କଥା କହୁଛ ବୋଲି କହିଥିଲେ  । ଏବଂ ତମେ କ’ଣ କରିବ ଯା ବୋଲି କହିବାକୁ ପଛାଇ ନଥିଲେ । ସରକାରଙ୍କ ଏହି ମହାତ୍ୱାକାଂକ୍ଷୀ ଯୋଜନା ଏହିଭଳି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ବାଟ ହୁଡୁଥିବା ବୁଦ୍ଧିଜୀବୀ ମାନେ ମତ ଦେଇଥିବା ବେଳେ ଏଭଳି କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି  । ସେହିପରି ଜରୁରୀକାଳୀନ ସେବାରେ ନିୟୋଜିତ ହେଉଥିବା କର୍ମଚାରୀଙ୍କୁ ସଠିକ ପ୍ରଶିକ୍ଷଣ କାହିଁକି ଦେଉନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି  ।