ରାଜସ୍ୱ ଅମଲାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ

 ଖଣ୍ଡପଡ଼ା : ରାଜ୍ୟ ସଂଘର ଆହ୍ୱାନକ୍ରମେ  ବିଭିନ୍ନ ଦାବି ନେଇ ଖଣ୍ଡପଡା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା କାର୍ଯ୍ୟ ବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି । ବ୍ଲକ୍ କାର୍ଯ୍ୟାଳୟରେ ଖଣ୍ଡପଡା ଓ ଭାପୁରତହସିଲ, ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ଏବଂ ଉପବିଭାଗ ଅଧିକାରୀ ଆନେ୍ଦାଳନରେ ସାମିଲ ହେବା ସହ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସଂଘ ପକ୍ଷରୁ ବାରମ୍ବାର ଦାବି ଉପ ସ୍ଥାପନ କରିବା ପରେ ବି ରାଜ୍ୟସରକାର, ରାଜସ୍ୱଅମଲା କର୍ମଚାରୀଙ୍କ ସମସ୍ୟା ସମାଧାନ କରୁନାହାନ୍ତି । କିଛି ଦିନ ପୂର୍ବେ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ମାତ୍ର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ରାଜସ୍ୱ ଅମଲାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦାବି ଗୁଡ଼ିକ ମଧ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓ ଆରଏସପି ୨୦୧୭ ନିୟମ ଅନୁଯାୟୀ ଲେବେଲ ୯କୁ ବୃଦ୍ଧି, ତଥ୍ୟ ଆଧାର କରି ନୂତନ ପଦ ସୃଷ୍ଟି କରିବା ଓ ପଦ ପୁନଃଗଠନ, କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସହ ପୁନଃ ଥଇଥାନ ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ୱ ଅମଲାଙ୍କୁ ଶତ ପ୍ରତିଶତ ପଦୋନ୍ନତି, ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ କରିବା ଆଦି ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛି । ଆନ୍ଦଦୋଳନରେ ଇନ୍ଦ୍ରାଣୀ ଜାନୀ, ରଶ୍ମୀରଞ୍ଜନ ମହାପାତ୍ର, ବ୍ଲକ କ୍ୟାସିୟର ଲକ୍ଷ୍ମୀକାନ୍ତ ଦାଶ, ଜ୍ୟୋତିପ୍ରଭା ଦାସ, ରାଧାକାନ୍ତ ଲେଙ୍କା, ପ୍ରଭାତ କୁମାର ପଣ୍ଡା, ହାଡିବନ୍ଧୁ ବେହେରା, କପିଳା ଦଳେଇ, ଏମଡି ଆଲମ, ନବକିଶୋର ଦାସଙ୍କ ବହୁ କର୍ମଚାରୀ ସାମିଲ ହୋଇଥିଲେ ।