ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ କରିଡର ହେବ
ସୋନପୁର: ଦ୍ୱିତୀୟ ବାରାଣାସୀ ସୁବର୍ଣ୍ଣପୁର ପର୍ଯ୍ୟଟନ କରିଡର ହେବ । ଏହିଠାରେ ଅନେକ କୀର୍ତିରାଜ ଅଛି । ତାଙ୍କୁ ସ୍ୱତନ୍ତ୍ର ଧ୍ୟାନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି । ଶ୍ରୀମତି ପରିଡ଼ା ସୋନପୁର ଦେଇ କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ସେହି ଅବସରରେ ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ ଦାବିପତ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଦାବି ପତ୍ରରେ ଶାସ୍ତ୍ରୀୟ ବିଧିମତେ ଭବ୍ୟ ଗୃହ, ଜଗମୋହନ ଓ ନାଟ ମଣ୍ଡପ ନିର୍ମାଣ, ପାତାଳି ବଡ ଦାଣ୍ଡର ପ୍ରଶସ୍ତିକରଣ, ରୋପୱେ ନିର୍ମାଣ, ପାତାଳି କ୍ଷେତ୍ରରୁ ବାଇପାସ, ଗୁମ୍ଫା ପର୍ଯ୍ୟନ୍ତ ପାହାଚ, ବିଶ୍ରାମ ସ୍ଥଳ, ଆକର୍ଷଣୀୟ ପାର୍କ ନିର୍ମାଣ, ସମ୍ବଲପୁର ବ୍ରହ୍ମପୁର ନୂତନ ରେଳ ପ୍ରକଳ୍ପ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ସମ୍ପ୍ରସାରଣ କରିବା ଆଦି ଉଲ୍ଲେଖ ରହିଛି । ପରେ ସୋନପୁର ଇଷ୍ଟ ଦେବୀ ମା ସୁରେଶ୍ୱରୀ ପୀଠ ଦର୍ଶନ କରି ସେଠାରେ ଉପସ୍ଥିତ ବୁଦ୍ଧିଜୀବୀ ଏବଂ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ନେଇ ଅବଗତ କରାଯାଇଥିଲା ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଓ ଆଇନଜୀବୀ ପ୍ରଦୀପ ପୁରୋହିତ ଜିଲ୍ଲାର ଭୌଗୋଳିକ, ସାମାଜିକ, ଅର୍ଥନୈତିକ ସହ ଆଧ୍ୟାତ୍ମିକତା ଉପରେ ମତ ବ୍ୟକ୍ତ ପ୍ରଦାନ କରିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପରିଡା ମାଁ ସୁରେଶ୍ୱରୀ, ରାମେଶ୍ୱର, ସୁବର୍ଣ୍ଣମେରୁ ସହ ଅଷ୍ଟ ଚଣ୍ଡୀ, ଅଷ୍ଟ ଶମ୍ଭୁ , ଅଷ୍ଟ ବିଷ୍ଣୁ ମନ୍ଦିରମାନଙ୍କ ପର୍ଯ୍ୟାୟକ୍ରମେ ବିକାଶ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦାବି କରିଥିଲେ । କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ଜିଲ୍ଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ପୂର୍ବତଟ ବିଜେପ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ବିଜେପି ନେତା ନବକୃଷ୍ଣ ଦନ୍ତା, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଉପସ୍ଥିତ ଥିଲେ ।