ଚୋରି ମାମଲାରେ ଆସାମୀକୁ ଜେଲ୍
କେନ୍ଦୁଝର : ସୋମବାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ ଏକ ମନ୍ଦିରରେ ଚୋରି ମାମଲାର ବିଚାର କରି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରୀ ଗ୍ରାମର ପବନା ମହାନ୍ତଙ୍କ ପୁଅ ଆସାମୀ ଋଷି ମହାନ୍ତକୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ତା ୨୫ା୦୩ା୨୦୨୫ ରିଖ ରାତିରେ ଆସାମୀ ପାଟଣା ଥାନା ଅନ୍ତର୍ଗତ କାମେଶ୍ୱରପୁରସ୍ଥିତ ରାମମନ୍ଦିର ଭିତରୁ ଠାକୁର ପିନ୍ଧିଥିବା ୪ଟି ଇମିଟେସନ ହାର ଓ ଦାନ ବାକ୍ସ ଭାଙ୍ଗି ପାଖାପାଖି ୫ଶହ ଟଙ୍କା ଚୋରି କରି ନେଇଥିଲା । ତା’ ପରଦିନ ମନ୍ଦିରର ପୂଜକ ତାଲା ଭଙ୍ଗା ଯାଇଥିବା ଦେଖି ମନ୍ଦିର କମିଟିକୁ ଜଣାଇଥିଲେ । ମନ୍ଦିର କମିଟିର ସଭାପତି ଅଜୟ କୁମାର ଦାଶ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପାଟଣା ଥାନା ପୋଲିସ କେଶ ନଂ ୧୪୨/୨୬.୦୩.୨୦୨୫, ଦଫା ୪୫୭/୩୮୦ ଆଇପିସି ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିଲା । ସୋମବାର ବିଚାରପତି ୧୬ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଆସାମୀକୁ ଆଇପିସିର ଦଫା ୪୫୭ ରେ ୩ବର୍ଷ ଜେଲ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ ଦଣ୍ଡାଦେଶ ଓ ଆଇପିସି ର ଦଫା ୩୮୦ ରେ ୩ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଏକ ମାସ ଅଧିକ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଦୁଇଟି ଯାକ ଦଫାର ଜେଲ ଦଣ୍ଡାଦେଶ ଏକ ସମୟରେ ଚାଲିବ । ଉକ୍ତ ମୋକଦ୍ଦମାରେ ସରକାରଙ୍କ ପକ୍ଷରୁ ଏପିପି ଶ୍ରୁତି ମହାନ୍ତି ଓ ଆଲୋକ କୁମାର ମହାନ୍ତ ମୋକଦ୍ଦମା ପରିଚାଳନା କରୁଥିଲେ ।