ରାସ୍ତା ଶୋଚନୀୟ, ହନ୍ତସନ୍ତ ଜନତା


ବନ୍ତରୁ ରମେଶ ଚନ୍ଦ୍ର ପତି : ବନ୍ତ ବ୍ଳକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଛକରୁ ଗଣିଜାଙ୍ଗ କାୟା  ଗୋପାଳପୁର- ଆମ୍ବଗଡ଼ିଆ ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଉକ୍ତ ରାସ୍ତାଟି କିଛି ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲେ ମଧ୍ୟ କାର୍ଯ୍ୟର ମାନ ନିମ୍ନ ମାନର ହୋଇଥିବାରୁ ଅଳ୍ପ ଦିନରେ ରାସ୍ତାର ଅବସ୍ଥା ପୂର୍ବ ପରି ଶୋଚନୀୟ ହୋଇପଡ଼ିଛି  । ଏହି ରାସ୍ତାଟି ଗୋଟିଏ ପାଖରୁ ମଙ୍ଗୁଲି ଛକରୁ ଗଣିଜାଙ୍ଗ ବଜାର ରାଜ୍ୟ ରାଜପଥକୁ ସଂଯୋଗ କରିଥିବା ବେଳେ ଅନ୍ୟ ଏକ ପାର୍ଶ୍ୱ ମଙ୍ଗୁଲି ଛକରୁ ଆମ୍ବଗଡ଼ିଆ ଛକ ରାଜ୍ୟ ରାଜପଥକୁ ସଂଯୋଗ କରୁଛି  । ଏହି ଦୁଇଟି ରାସ୍ତା ଉପରେ ପ୍ରତିଦିନ କାର୍ଯ୍ୟ ପାଇଁ  ହଜାର ହଜାର ଲୋକ ନିକଟସ୍ଥ ବଜାରଯାଇଥାନ୍ତି  । ଏବେ ସାମାନ୍ୟ ବର୍ଷରେ ଏହି ରାସ୍ତାଟି ଖାଲ ଖମାରେ ବର୍ଷା ପାଣି ଭର୍ତ୍ତି ହୋଇ କୃତିମ୍ ହ୍ରଦର ଭ୍ରମସୃଷ୍ଟି କରୁଛି । ଏହା ଫଳରେ ପ୍ରତିଦିନ ଏହି ରାସ୍ତାଦେଇ ଯାଉଥିବା ଯାତ୍ରୀ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସମ୍ପୃକ୍ତ ଅଞ୍ଚଳର ଲୋକେ ବିଶେଷତଃ ପନିପରିବା ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ଜିଲା ସଦର ମହକୁମାକୁ ଗାଡି ଯୋଗେ ପରିବା ଚାଲାଣ କରାଯାଇଥାଏ  । ମାତ୍ର ଏବେ ଏହି ରାସ୍ତାଟି ଖରାପ ହୋଇ ପଡ଼ିଥିବାରୁ ବିଶେଷ ଭାବେ ପରିବାଚାଷୀସମସ୍ୟାରେ ପଡୁଛନ୍ତି । ଏହି ରାସ୍ତା ସମସ୍ୟା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି  । ଏହି ରାସ୍ତା ଦେଇ ୩ଟି ପଞ୍ଚାୟତ ଯଥା ଛୟାଳସିଂ, ଗଣିଜାଙ୍ଗ ଓ ଓଡ଼ଙ୍ଗର ଲୋକେବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକ ଓ ଜିଲ୍ଲା ସଦର ମହକୁମା ଭଦ୍ରକକୁ ବିଭିନ୍ନ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି ଏଥି ସହିତ କୁନି କୁନି ପିଲା ଅଙ୍ଗନୱାଡି ଓ ପିଲା ମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଦିନ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତାକୁ ମରାମତି ପାଇଁ ସାଧାରଣ ଦାବି ହୋଇଛି ।