ରାସ୍ତାରେ ବଡ଼ ଗର୍ତ୍ତ, ପ୍ରତିକାର ଦାବି

ତାଳଚେର : ତାଳଚେର ଲିଙ୍ଗରାଜ କୋଇଲା ଖଣି ନିକଟବର୍ତ୍ତୀ ଜାତୀୟ ରାଜପଥ କୋଲ୍ କରିଡ଼ର ବାଙ୍କଧରା ଛକ ଠାରୁ ବି.ଇଞ୍ଜିନିୟରିଙ୍ଗ୍ ରାଜପଥଟି  ମରଣଯନ୍ତା ପାଲଟିଛି । ଅତ୍ୟାଧିକ ଭାରୀଯାନ ଚଳାଚଳ ଯୋଗୁଁ କଂକ୍ରିଟ ରାସ୍ତାଟି ନଷ୍ଟ ହୋଇ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାଫଳରେ ସମାନ୍ୟ ବର୍ଷା ହେଲେ ଗର୍ତ୍ତରେ ପାଣି ଜମି ରହୁଛି । ଫଳରେ ବାଇକ ଆରୋହୀ ଓ ପଥଚାରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ବାଙ୍କଧରା ଓ ଲିଙ୍ଗରାଜ କୋଲିୟରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ଏନ୍ଟିପିସିର ରେଳଫାଟକ ବାରମ୍ବାର ପଡ଼ୁଥିବାରୁ ଉକ୍ତ ରାସ୍ତାଟି ସଦାସର୍ବଦା ଜାମ ରହିଥିବା ଫଳରେ ସେଠାରେ ଅହରହ ଟ୍ରାଫିକ ସମସ୍ୟା ସହିତ ବ୍ୟାପକ କୋଇଲା ଗୁଣ୍ଡ ଧୂଳିଧୂଆଁରେ ଆରୋହୀମାନେ ନାକେଦମ ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ଦୈନନ୍ଦିନ ପ୍ରଶାସକ ଓ ରାଜନେତାମାନେ ଯାତାୟତ କରୁଥିଲେ ମଧ୍ୟ ସେମାନଙ୍କୁ କିପରି ଏହା ଦେଖାଯାଉ ନାହିଁ ତାକୁ ନେଇ ଚର୍ଚ୍ଚା ହେବା ସହିତ ଏନଏଚଆଇ ବିଭାଗ ପକ୍ଷରୁ ଏ ନେଇ ଜାଣି ଅଜଣା । ତେଣୁ ତୁରନ୍ତ ତାଳଚେର ଉପଜିଲ୍ଲାପାଳ ହସ୍ତକ୍ଷେପ କରି ଏହି ଜାତୀୟ ରାଜପଥ ବାଙ୍କଧରା ଛକ ଠାରୁ ବିଇଞ୍ଜିନିୟରିଙ୍ଗ ପର୍ଯ୍ୟନ୍ତ ରାସ୍ତାରେ ହୋଇଥିବା ବଡ଼ ବଡ଼ ଗର୍ତ୍ତ ଗୁଡ଼ିକ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।