ରୋଗୀସେବା ଦକ୍ଷତା ବୃଦ୍ଧି  ପାଇଁ ସିଡିଏମଓଙ୍କ ପଦକ୍ଷେପ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ରୋଗୀସେବା ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧିର ରଞ୍ଜନ ନାୟକ ଡାକ୍ତରମାନଙ୍କ ସହ ବୈଠକ କରିଛନ୍ତି । ସୀମିତ ସମ୍ବଳକୁ ଦୃଷ୍ଟିରେ ରଖି ଡାକ୍ତରମାନେ ସମ୍ମୁଖିନ ହେଉଥିବା ସମସ୍ୟା ମଧ୍ୟରେ ରୋଗୀ ସେବାର ବିଭିନ୍ନ ଦିଗ ସମ୍ପର୍କରେ ସିଡିଏମଓ ଉପାଦେୟ ପରାମର୍ଶ ଦେଇଥିଲେ । ଶନିବାର ପୂର୍ବାହ୍ନରେ ସି.ଡି.ଏମ.ଓ. ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି, ଅଭାବ ଓ ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଡାକ୍ତରଙ୍କ ସହ ବୈଠକରେ ମିଳିତ ହୋଇ ରୋଗୀସେବା ସମ୍ପର୍କୀୟ ପରାମର୍ଶ ଦେଇଥିଲେ ।
ସିଡିଏମଓ ଭାବେ ଦାଇତ୍ୱ ଗ୍ରହଣ କରିବା ପରେ ଏହା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଥମ ଗସ୍ତ ଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମାର୍ଗଦର୍ଶିକା ଅନୁଯାୟୀ ରୋଗୀସେବା କରାଯିବା ଉପରେ ସିଡିଏମଓ ଗୁରୁତ୍ୱାରୋପ କରିଥିଲେ । ଏହି ଗସ୍ତ ମୁଖ୍ୟତଃ ରୋଗୀସେବା ଆଧାରିତ ପରାମର୍ଶମୂଳକ ଥିଲା ବୋଲି ସିଡିଏମଓ ଡ. ନାୟକ ସୂଚନା ଦେଇଥିଲେ । ଇତି ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଇସିଜି ମେସିନ ଯୋଗାଇ ଦିଆଯାଇଛି । ରୋଗୀମାନେ ପରୀକ୍ଷା ପାଇଁ ଆଉ ବାହାରକୁ ଯିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଥିବାରୁ ଅସ୍ତ୍ରୋପଚାର ଗୃହକୁ କାର୍ଯ୍ୟକ୍ଷମ କରି ତୁରନ୍ତ ସର୍ବନିମ୍ନ ଅସ୍ତ୍ରୋପଚାର ଆରମ୍ଭ କରାଯିବାକୁ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷକ ଡ. କମଳାକାନ୍ତ ସ୍ୱାଇଁ, ବ୍ଲକ୍ ସ୍ୱାସ୍ଥ୍ୟଧିକାରୀ ଡ. ସରୋଜ ରାଉଳ, ଡ. ସୁଧାଂଶୁ ଶେଖର ବେହେରା, ଡ. ସୌମ୍ୟରଞ୍ଜନ ରାଉତ, ଡ. ଦେବବ୍ରତ ବିଶ୍ୱାଳ, ଡ. ନବୀନ ପରିଡା, ଡ. ମାଷ୍ଟର ବିଶାଳ ବୈଠକରେ ଉପସ୍ଥିତ ଥିଲେ । ବ୍ଲକ ଯୋଜନା ପରିଚାଳକ ରଶ୍ମିରେଖା ପୃଷ୍ଟି, ଫାର୍ମାସୀ ଅଧିକାରୀ ଶୁଭ୍ରକାନ୍ତ ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ ପୃଥିରାଜ ପୋଥାଳ ପ୍ରମୁଖ ସିଡିଏମଓଙ୍କୁ ସ୍ୱାଗତ କରିଥିଲେ ।